ନୂଆଦିଲ୍ଲୀ,୧୩।୫: IPL 2025 ସ୍ଥଗିତ ହେବା ପୂର୍ବରୁ, ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ବନ୍ଦ କରିଦିଆଯାଇଥିଲା। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ଯେତେବେଳେ ମ୍ୟାଚ ବନ୍ଦ ହୋଇଥିଲା, ସେମାନଙ୍କର ସ୍କୋର ୧୦.୧ ଓଭରରେ ୧୨୨ ରନ ଥିଲା। ଯଦି ପଞ୍ଜାବ ଏହି ମ୍ୟାଚ ଜିତିଥାନ୍ତା, ତେବେ ଏହା ପ୍ଲେଅଫରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ପ୍ରଥମ ଦଳ ହୋଇଥାନ୍ତା। ଏବେ ଯେତେବେଳେ ବିସିସିଆଇ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି, ଶ୍ରେୟସ ଆୟର ଏବଂ ଦଳକୁ ଏକ ବଡ଼ ଝଟକା ଲାଗିଛି।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗ୍ସ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରୁଛି। ଦଳ ୧୧ଟି ମ୍ୟାଚ ଖେଳିଛି, ଏଥିରୁ ୭ଟିରେ ବିଜୟୀ ହୋଇଛି ଏବଂ ୩ଟିରେ ପରାସ୍ତ ହୋଇଛି, ଗୋଟିଏ ମ୍ୟାଚ ଫଳାଫଳ ଆସିନାହିଁ। ପଞ୍ଜାବ ୧୫ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ଲେଅଫ ଦୌଡ଼ରେ ରହିଛି।
ପ୍ରଶଂସକଙ୍କ ମନରେ ପ୍ରଶ୍ନ ଥିଲା ଯେ, ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଯେଉଁଠାରୁ ବନ୍ଦ ହୋଇଥିଲା ସେହିଠାରୁ ଆରମ୍ଭ ହେବ ନା ଏହାକୁ ପୁଣି ଥରେ ଆରମ୍ଭ କରାଯିବ। ବିସିସିଆଇ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି, ଏହି ମ୍ୟାଚ ମଧ୍ୟ ଏଥିରେ ସାମିଲ ଅଛି। ଏହି ମ୍ୟାଚ ପ୍ରଥମ ବଲରୁ ଆରମ୍ଭ ହେବ, ଅର୍ଥାତ୍ ଏହା ପୁଣି ଥରେ ଖେଳାଯିବ।
IPL 2025ର ବାକି ମ୍ୟାଚ ମେ ୧୭ରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ RCB vs KKR ହେବ। ଏହା ବେଙ୍ଗାଲୁରୁରେ ଖେଳାଯିବ। ଲିଗ ପର୍ଯ୍ୟାୟର ୧୩ଟି ମ୍ୟାଚ ୬ଟି ସ୍ଥାନରେ ଅନୁଷ୍ଠିତ ହେବ ଏବଂ ଏଥିରେ ୨ଟି ଡବଲ ହେଡର ରହିବ।