ରଣକ୍ଷେତ୍ର ପାଲଟିଲା ସିନ୍ଧ ବିଧାନସଭା

ସିନ୍ଧ, ୩ା୩: ପାକିସ୍ତାନର ସିନ୍ଧ ବିଧାନସଭାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହରିକ୍‌-ଏ-ଇନ୍‌ସାଫ ପାର୍ଟି ନେତାଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏହାକୁ ନେଇ କିଛି ସମୟ ବିଧାନସଭା ରଣକ୍ଷେତ୍ରରେ ପରିଣତ ହୋଇଥିଲା।
ଦଳର ୩ ବିଧାୟକ ସେମାନେ ନିଜ ଇଚ୍ଛା ଅନୁଯାୟୀ ସିନେଟରେ ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ। ପିଟିଆଇ ପ୍ରାର୍ଥୀଙ୍କୁ ସମର୍ଥନ ନ ଦେବାରୁ ସମ୍ପୃକ୍ତ ୩ ବିଧାୟକଙ୍କୁ ବିଧାନସଭାରେ ଆକ୍ରମଣ କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପରସ୍ପର ତଳେ ଗଡ଼ି ମାଡ୍‌ପିଟ୍‌ ହୋଇଥିଲେ। ଗଣ୍ଡଗୋଳବେଳେ ଗୃହର ଅନ୍ୟ ସଦସ୍ୟମାନେ ସେଠାରୁ ଉଠି ବାହାରକୁ ପଳାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି।