Categories: Home Left

ଆଇପିଏଲ୍‌ରେ କଡ଼ାକଡ଼ି ହେବ ବ୍ୟାଟ୍‌ ଯାଞ୍ଚ

ମୁମ୍ବାଇ,୧୭ା୪: ଗତ ସପ୍ତାହରେ ବସିଥିବା ଆଇପିଏଲ୍‌ ଅମ୍ପାୟରଙ୍କ ରିଭ୍ୟୁ ମିଟିଂରେ ବ୍ୟାଟ୍‌ ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ବ୍ୟାଟରଙ୍କ ଇନିଂସ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ବ୍ୟାଟ୍‌କୁ ଯାଞ୍ଚ କରାଯିବ। ଓପନରମାନେ ଫିଲ୍ଡକୁ ଆସିବା ପୂର୍ବରୁ ଚତୁର୍ଥ ଅମ୍ପାୟର ସେମାନଙ୍କ ବ୍ୟାଟ୍‌ ଯାଞ୍ଚ କରିବେ। ଅନ୍ୟ ବ୍ୟାଟରଙ୍କ ବ୍ୟାଟ୍‌ର ଯାଞ୍ଚ ଅନ-ଫିଲ୍ଡ ଅମ୍ପାୟର କରିବେ।

ଟୁର୍ନାମେଣ୍ଟ ମଝିରେ ବ୍ୟାଟ୍‌ ଯାଞ୍ଚକୁ କଡ଼ାକଡ଼ି କରିବାର ନିଷ୍ପତ୍ତି ଯୋଗୁ ଚଳିତ ସିଜନରେ ନିୟମ ଭଙ୍ଗକାରୀଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ମୁତାବକ, ପ୍ରତିପକ୍ଷ ଦଳର ବ୍ୟାଟରମାନେ ଓସାରିଆ ବ୍ୟାଟ୍‌ ବ୍ୟବହାର କରୁଥିବା ନେଇ ଦଳ ମଧ୍ୟରେ ସନ୍ଦେହ ରହିଛି।

ଗତ ମଙ୍ଗଳବାର ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୁନୀଲ ନାରିନ ଓ ଆନରିଚ ନର୍କିଆଙ୍କ ବ୍ୟାଟ ଗେଜ ଟେଷ୍ଟରେ ବିଫଳ ହୋଇଥିଲା। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବ୍ୟାଟର ରିୟାନ ପରାଗ ମଧ୍ୟ ଗେଜ ଟେଷ୍ଟରେ ଫେଲ୍‌ ହୋଇଥିଲେ।

ନିୟମ ମୁତାବକ, ବ୍ୟାଟ୍‌ର ଚଉଡ଼ା ୪.୨୫ ଇଞ୍ଚ, ବ୍ୟାଟ୍‌ ମଝିର ଗଭୀରତା ୨.୬୪ ଇଞ୍ଚ ଓ ଧାରର ମୋଟେଇ ୧.୫୬ ଇଞ୍ଚରୁ ଅଧିକ ହୋଇପାରିବ ନାହିଁ। ଏଥିସହିତ ବ୍ୟାଟ୍‌ ଗେଜ ମଧ୍ୟ ଦେଇ ଅତିକ୍ରମ କରିପାରୁଥିବା ଦରକାର। ଏହାବାଦ୍‌ ବ୍ୟାଟ୍‌ର ହ୍ୟାଣ୍ଡେଲ ବ୍ୟାଟ୍‌ର ମୋଟ ଉଚ୍ଚତାର ୫୨ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ବ୍ୟାଟ୍‌ର ଧାରକୁ କଭର କରୁଥିବା ସାମଗ୍ରୀର ମୋଟେଇ ୦.୧ ସେଣ୍ଟି ମିଟରଠାରୁ ଅଧିକ ହୋଇପାରିବ ନାହିଁ। ବ୍ୟାଟ୍‌ର ଟୋକୁ ସୁରକ୍ଷିତ ରଖିବା ଲାଗି ବ୍ୟବହୃତ କରାଯାଉଥିବା ସାମଗ୍ରୀର ମୋଟେଇ ୦.୩ ସେମିରୁ ଅଧିକ ହୋଇପାରିବ ନାହିଁ। ବ୍ୟାଟର ବ୍ୟାଟିଂ ଲାଗି ଆସିବା ପୂର୍ବରୁ ଅମ୍ପାୟର ବ୍ୟାଟ୍‌ ଯାଞ୍ଚ କରିବେ ବୋଲି ପ୍ରତ୍ୟେକ ଦଳକୁ ଜଣାଇ ଦିଆଯିବ।