ବରଗଡ,୨୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ନିକଟ ସଂଗ୍ରାମୀ ସ୍ମୃତିବନରେ ଶନିବାର କାରଗିଲ ବିଜୟ ଦିବସ ଓ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାପିତ ସଂଗ୍ରାମୀ ସ୍ମୃତିବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ପୂର୍ବତନ ସଭାପତି ଶଙ୍କର ବଲ୍ଲଭ ମିଶ୍ର କେକ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସଂଘର ସଭାପତି ସୁରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ବିରେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ପ୍ରବୀଣ ସାହୁ, କୋଷାଧ୍ୟକ୍ଷ ବ୍ୟୋମକେଶ କର, ବରିଷ୍ଠ ସଭ୍ୟ ଅଶୋକ ମିଶ୍ର, ଉମେଶ ବିଶ୍ବାଳ, ଦିପକ ଶର୍ମା, ରବିନାରାୟଣ ପଣ୍ତା, ବଦ୍ରିପ୍ରସାଦ ସାହୁ, ଲଲାଟେନ୍ଦୁ ଦାଶ, ପ୍ରଦୀପ ପାଢ଼ୀ, ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ଓ ବଗେଇବିରା ଇଣ୍ଡିୟାନ ମିଲିଟାରୀ ଏକାଡ଼େମୀର ପ୍ରତିଷ୍ଠାତା ତଥା ସଭାପତି ପୁରନ୍ଦର ଭୋସାଗରଙ୍କ ସମେତ ଏକାଡ଼େମୀର ଛାତ୍ରମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ବରଗଡ଼ ସାମ୍ବାଦିକ ସଂଘର ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରିବା ସହିତ ସ୍ମୃତିବନରେ ରହିଥିବା ବୃକ୍ଷରାଜିର ଯତ୍ନ ନେଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୦୨୨ ମସିହା ଜୁଲାଇ ମାସ ୨୬ ତାରିଖ କାରଗିଲ ବିଜୟ ଦିବସରେ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଜିଲା ପ୍ରଶାସନ ତଥା ବନ ବିଭାଗ ସହଯୋଗରେ ସଂଗ୍ରାମୀ ସ୍ମୃତିବନ ସ୍ଥାପିତ ହୋଇଥିଲା। ଏହି ସ୍ମୃତିବନରେ ଜିଲାର ୧୫୩ ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୫୩ଟି ବିଭିନ୍ନ କିସମର ଚାରାରୋପଣ ହୋଇଥିଲା। ସେହି ଚାରା ଗୁଡିକ ଏବେ ବଡ ହୋଇଛି ଏବଂ ସ୍ମୃତିବନର ବୃକ୍ଷରାଜିରେ ଶୋଭାବର୍ଦ୍ଧନ ହୋଇ ଅଞ୍ଚଳରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି।