ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସନ୍ଧ୍ୟା ୭ଟାରେ ସ୍ଥାନୀୟ ହାଟପଦାସ୍ଥିତ ରାଜ ଦରବାରରେ ଉକ୍ତ ମହୋତ୍ସବକୁ ଉଦ୍ଘାଟନକରିବା କାର୍ଯ୍ୟକ୍ରମ ରହିଛି। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଦୀର୍ଘ ୧୧ଦିନବ୍ୟାପୀ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ହେବ। ମଝିରେ ବୋହିଯାଇଥିବା ଜୀରାନଦୀ ଯମୁନା ପାଲଟିବ। ମଥୁରା ନଗରୀରେ କଂସ ରାଜୁତି ଏବଂ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯାଇଛି। ବିଗତ ବର୍ଷ ଭଳି ଏଥର ମଧ୍ୟ ମହୋତ୍ସବର ପ୍ରଥମ ୭ଦିନ ହାଟପଦା ମଞ୍ଚ ଏବଂ ଶେଷ ୪ଦିନ ଲୋକମଣ୍ଡପ ପଡ଼ିଆ ମଞ୍ଚ ରାଜ ଦରବାର ପାଲଟିବ। ଅନ୍ୟପଟେ ଲୋକମଣ୍ଡପ ପଡ଼ିଆ ମଞ୍ଚରେ ପ୍ରଥମ ୭ଦିନ ଏବଂ ହାଟପଦା ମଞ୍ଚରେ ଶେଷ ୪ଦିନ ରଙ୍ଗମହଲ ଦୃଶ୍ୟାଭିନୟ ଅଭିନୀତ ହେବ। ଧନୁଯାତ୍ରା ମହୋତ୍ସବକୁ ସ୍ବାଗତ କରିବା ପାଇଁ ବୁଧବାର ଅପରାହ୍ନ ୨ଟାରୁ ସ୍ଥାନୀୟ ଗାନ୍ଧିଛକରୁ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମାକରି ସମଲେଶ୍ୱରୀ ମନ୍ଦିର ଅଭିମୁଖେ ବାହାରିବ। ଧନୁଯାତ୍ରା ମହୋତ୍ସବର ପ୍ରଚାରପ୍ରସାର କମିଟି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ୨୦ରୁ ଅଧିକ ସାଂସ୍କୃତିକ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଗତବର୍ଷ ଭଳି ଏଥର ମଧ୍ୟ ଜି.ଡି. ଗୋୟଲ ଧର୍ମଶାଳା କଂସଙ୍କ ରାଜମହଲ ହେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ କହିଛନ୍ତି। ସେହିପରି ମହୋତ୍ସବକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଏସ୍ପି ପି.ଏସ୍. ମୀନା କହିଛନ୍ତି।