ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରସିଦ୍ଧ ତଥା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ୭୮ତମ ସଂସ୍କରଣର ସଫଳ ଆୟୋଜନ ପାଇଁ ମଙ୍ଗଳବାର ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଲୋକସଭା ଏମପି ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲାର ସମସ୍ତ ବିଧାୟକଙ୍କ ସମେତ ଜିଲାପାଳ ତଥା ମହୋତ୍ସବ କମିଟିର ସଭାପତି ଆଦିତ୍ୟ ଗୋୟଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଧନୁଯାତ୍ରାର ଭବ୍ୟ ଆୟୋଜନ ଓ ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା, ଯାହାକୁ ମନ୍ତ୍ରୀ କାର୍ଯ୍ୟକାରୀ କରିବାକୁ ଆଶ୍ୱାସନା ଦେଇଛନ୍ତି।
ମହୋତ୍ସବର ବ୍ୟାପକ ସ୍ୱୀକୃତି ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ନିମନ୍ତ୍ରଣ କରିବା, ୧୧ ଦିନ ବ୍ୟାପୀ ନିରନ୍ତର ସିଧା ପ୍ରସାରଣ (ଲାଇଭଷ୍ଟ୍ରିମିଂ) ଓ ଏଲ୍ଇଡି ସଂଯୋଗ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ୧୦ ହଜାର ଟଙ୍କା ସମ୍ମାନ ରାଶି ପାଉଥିବା ପ୍ରମୁଖ କଳାକାରଙ୍କ ସଂଖ୍ୟାକୁ ୧୭୦ରୁ ବୃଦ୍ଧି କରି ୨୦୦କୁ କରିବା ପାଇଁ ଦାବି କରାଯାଇଥିଲା।
ମହୋତ୍ସବ ପାଇଁ ଉତ୍ସର୍ଗୀକୃତ ୱେବସାଇଟ୍, ଅନଲାଇନ୍ କୁଇଜ୍ ପ୍ରତିଯୋଗିତା, ଜାତୀୟ ସେମିନାର ଆୟୋଜନ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍/ବସ୍ ଓ ଶୌଚାଳୟ ବ୍ୟବସ୍ଥା ଭଳି ଅନେକ ପ୍ରସ୍ତାବ ଆଲୋଚନା କରାଯାଇଥିଲା।
ମନ୍ତ୍ରୀ ସୂରଜ, ଧନୁଯାତ୍ରାର ସମସ୍ତ ପ୍ରସ୍ତୁତିର ଡକ୍ୟୁମେଣ୍ଟେସନ୍ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ୟୁନେସ୍କୋ ସ୍ୱୀକୃତି ପ୍ରୟାସକୁ ମଜବୁତ କରିବାରେ ସହାୟକ ହେବ। ଏହା ସହିତ ଟ୍ରାଫିକ୍ ପରିଚାଳନା, ଅଗ୍ନି ନିରାପତ୍ତା ଏବଂ ଜରୁରୀକାଳୀନ ଚିକିତ୍ସା ସୁବିଧା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।