ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଗୋପପୁର କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୬ ମସିହା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ୧୧ ଦିନିଆ ମହୋତ୍ସବ ଚାଲିବ। ଏଥିପାଇଁ ପୂର୍ବରୁ ମଥୁରା ନଗରୀ କଳାକାର ଚୟନ ସରିଯାଇ ଥିବାବେଳେ ରବିବାର ଗୋପପୁର କଳାକାର ଚୟନ ହୋଇଥିଲା।
ଗତ ଧନୁଯାତ୍ରା ମହୋତ୍ସବରେ ଶ୍ରୀରାଧା, ଶ୍ରୀକୃଷ୍ଣ ଏବଂ ବଲରାମ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ଏଥର ପୁଣି ସେହି ଚରିତ୍ରରେ ଅଭିନୟ ପାଇଁ ପୁନଃ ମନୋନୀତ ହୋଇଛନ୍ତି। ଶ୍ରୀରାଧା ଭୂମିକାରେ ସାଇନା ପ୍ରଧାନ, ଶ୍ରୀକୃଷ୍ଣ ଭୂମିକାରେ ସ୍ବପ୍ନିଳ ମହାପାତ୍ର ଏବଂ ବଲରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ରେଶ୍ମା ଦୋରା ଯଶୋଦା ଭୂମିକାରେ ଅଭିନୟ ପାଇଁ ମନୋନୀତ ହୋଇଛନ୍ତି। ସ୍ଥାନୀୟ ସମଲେଶ୍ଵରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଦୟାନିଧି ପ୍ରଧାନ, ରାଜକୁମାର ପ୍ରଧାନ, ରବିନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।