ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ: ୧୧ଦିନ ଧରି ବରଗଡ଼ ସହର ପାଲଟିବ ମଥୁରାନଗରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ସେହିଦିନଠାରୁ ୧୧ଦିନ ଧରି ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ହେବ। ମଝିରେ ବହି ଯାଇଥିବା ଜୀରା ନଦୀ ପାଲଟିବ ଯମୁନା ଏବଂ ବରଗଡ଼ରେ ଦେଖିବାକୁ ମିଳିବ କଳାକାରଙ୍କ ମହାକୁମ୍ଭ । ତେବେ ମହୋତ୍ସବ ଯେତିକି ପାଖେଇ ଆସୁଛି, ବରଗଡ଼ବାସୀଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦା ସଞ୍ଚାର ମଣ୍ଡଳୀରେ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି । ଏହି ଅବସରରେ ବରଗଡ଼ ତଳିପଡାସ୍ଥିତ ସମଲେଶରୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ପୂଜାର୍ଚ୍ଚନା ପରେ ହାଟପଦା ସଞ୍ଚାର ମଣ୍ଡଳୀ ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ରାଜ ପୁରୋହିତ ପୂଜାର୍ଚ୍ଚନା କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ ଏବଂ କାର୍ଯ୍ୟକାରୀ ସଭାପତି ତଥା ଏସପି ପି.ଏସ ମୀନା ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟ ସମ୍ପାଦନ କରିଥିଲେ। ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ ପାଇଁ ମନୋନୀତ ସୁଶିଲ କୁମାର ମେହେରଙ୍କୁ ମଧ୍ୟ ବରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ମଧୁଛନ୍ଦା ସାହୁ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ, ରାଜ ଦରବାର ମଞ୍ଚ କମିଟିର ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ମହାମନ୍ତ୍ରୀ ଅଭିନେତା ଗୁଲାବ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily