ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବର ବିଭିନ୍ନ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା କରାଯିବ। ଏହି କ୍ରମରେ ମହୋତ୍ସବରେ ଭାଗ ନେବା ପାଇଁ ଅନେକ କଳାକାର ମନରେ ଆଶା ବାନ୍ଧିଥିବାବେଳେ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆବେଦନ କରୁଛନ୍ତି। ଗତ ୧୮ତାରିଖରୁ ମହୋତ୍ସବର ବିଭିନ୍ନ ଚରିତ୍ର ପାଇଁ ଆବେଦନ ଫର୍ମ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୧ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହାର ଅବଧି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଆଶାଜନକ ଆବେଦନ ଫର୍ମ ଗ୍ରହଣ ହୋଇ ନ ଥିବା ସୂଚନା ମିଳିଛି। ତେବେ ଆବେଦନ ଅବଧି ଆହୁରି ଏକ ସପ୍ତାହ ଥିବା ଯୋଗୁ ଆଗକୁ ସଂଖ୍ୟା ଆହୁରି ଅଧିକ ବଢ଼ିବ ବୋଲି ଆଶା କରାଯାଉଛି।
ଏଥର ଧନୁଯାତ୍ରା ମହୋତ୍ସବର କଂସ ମହାରାଜଙ୍କ ସମେତ ମହାମନ୍ତ୍ରୀ ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକ୍ରୂର, ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଏବଂ ସେନାପତି ଚରିତ୍ରରେ ଅଭିନୟ ପାଇଁ କଳାକାର ଚୟନ କରାଯିବାକୁ ନିଷ୍ପତ୍ତି ହୋଇଛି। କଳାକାରଙ୍କ ବୟସ ୧୮ରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସୂଚିତ କରାଯାଇଛି। ତେବେ ଶୁକ୍ରବାର ସୁଦ୍ଧା ସମୁଦାୟ ୨୫ଟି ଆବେଦନପତ୍ର ଗ୍ରହଣ ହୋଇଥିବା ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ସୂଚନା ଦିଆଯାଇଛି। କଂସ ଚରିତ୍ର ପାଇଁ ଏପର୍ଯ୍ୟନ୍ତ କେବଳ ଜଣେ ମାତ୍ର କଳାକାର ବରଗଡ଼ ଜିଲା ବିଜେପୁର ବ୍ଲକ ଲାଉମୁଣ୍ଡା ଅନ୍ତର୍ଗତ ଟାଙ୍ଗରୁପଦର ନିବାସୀ ଦେବରାଜ ଛତ୍ରିଆ ଆବେଦନ କରିଛନ୍ତି। ସେହିପରି ଉଗ୍ରସେନ ମହାରାଜ, ମୁଷ୍ଟିକ, ମହାମନ୍ତ୍ରୀ, ସାର୍ତ୍ତକୀ ଚରିତ୍ର ପାଇଁ ମଧ୍ୟ ଜଣେ ଲେଖାଏଁ କଳାକାର ଆବେଦନପତ୍ର ଦାଖଲ କରିଥିବାବେଳେ ସେନାପତି ଚରିତ୍ର ପାଇଁ ସର୍ବାଧିକ ୯ଜଣ କଳାକାର ଆବେଦନ କରିଛନ୍ତି। ବସୁଦେବ ଚରିତ୍ର ପାଇଁ ୩ଜଣ କଳାକାର ଆବେଦନ କରିଥିବାବେଳେ ନାରଦ, ଅକ୍ରୂର, ଚାଣୁର ଏବଂ ଦେବକୀ ପାଇଁ ୨ଜଣ ଲେଖାଏଁ ଆବେଦନ କରିଛନ୍ତି।