ବରଗଡ,୨୦।୧୧(ପ୍ରେମାନନ୍ଦ ଖମାରୀ)- ପୁସ୍ତକର ପ୍ରଭାବ କେବଳ ଆଜି ନୁହଁ, ଯୁଗ ଯୁଗରେ ରହିଛି । ପୁସ୍ତକର ପ୍ରଭାବ ସୁଦୂର ପ୍ରସାରୀ ବୋଲି ଗୁରୁବାର ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ୨୨ତମ ବରଗଡ଼ ପୁସ୍ତକ ମେଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଡଃ. ଛୟାକାନ୍ତ ଷଡ଼ଙ୍ଗୀ କହିଛନ୍ତି । ପାଠାଗାରର ସଭାପତି ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବ ଓ ଉପ ସଭାପତି ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ମୁଖ୍ୟବକ୍ତା ଷଡ଼ଙ୍ଗୀ କହିଥିଲେ, ପୁସ୍ତକ ପାଇଁ ଆଜି ବହୁ ଲେଖକ ଙ୍କ ରଚନା କାଳଜୟୀ ହୋଇ ରହିଛି। ପୁସ୍ତକର ଲେଖା ପ୍ରଭାବଶାଳୀ ହେଲେ ଲୋକଙ୍କ ଆଦୃତି ଲାଭ ନିଶ୍ଚୟ କରିବ । ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ରିଥିଲେ । ଅନ୍ୟତମ ଅତିଥି ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ କହିଥିଲେ, ପାଠ୍ୟ ପୁସ୍ତକ ମଣିଷକୁ ଅଧିକ କ୍ରିୟାଶୀଳ କରିବା ସାଙ୍ଗକୁ ଆମର ଅନ୍ତର୍ନିହିତ ଶକ୍ତି କୁ ଜାଣିବାରେ ସାହାଯ୍ୟ କରିଥାଏ । ବରଗଡ ପୁସ୍ତକ ମେଳା ଜନ ସାଧାରଣ ଙ୍କୁ ପାଠ୍ୟ ପୁସ୍ତକ ପଠନ ପାଇଁ ସଚେତନ କରିବାରେ ସହାୟକ ହୋଇଥାଏ । ଏହି ଅବସରରେ ଗାନ୍ଧୀ ଜୟନ୍ତୀ ଓ ପୁସ୍ତକ ମେଳା ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ, ସ୍ମାରକୀ ପ୍ରଦାନ କରାଯାଇଥିଲା । ସଭା ଶେଷରେ ପାଠାଗାର ସମ୍ପାଦକ ରବି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ଶିକ୍ଷାବିତ ଡଃ ଜଗଦୀଶ ମିଶ୍ରଙ୍କ ପୁସ୍ତକ ଶହୀଦ ବୀର ମାଧୋ ସିଂ ପୁସ୍ତକ ଉନ୍ମୋଚନ କରିଥିଲେ । ପାଠାଗାର ର ବରିଷ୍ଠ ସଦସ୍ୟ ପତିତପାବନ ସାହୁ, ସନ୍ତୋଷ କୁମାର ପଣ୍ଡା, ଜୟଶ୍ରୀ ସାହୁ, ବିକ୍ରମାଦିତ୍ୟ ପଣ୍ଡା, ଗୌରୀ ଶଙ୍କର ପଣ୍ଡା, ଅମିୟ ଭୂଷଣ ସାହୁ , ହୃଷୀକେଶ ଦାଶ, ଡୋଳାମଣି ଶତପଥୀ , ଶୁଭମ୍ ଭିତ୍ରିଆ ଓ ମିଳନ ପ୍ରଧାନ ଉପସ୍ଥିତ ଥିଲେ ।