ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକସ୍ତରୀୟ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଛି ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ(ବନ୍ତ କପ୍‌-୨୦୨୬)। ସୋମବାର ପୁଲ୍‌-‘ଏ’ର ଦ୍ୱିତୀୟ ମ୍ୟାଚ୍‌ ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକ ଓ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଟସ୍‌ ଜିତିି ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୧ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୦୦ ରନ୍‌ କରିଥିଲା। ଦଳ ପକ୍ଷରୁ ସମ୍ବିତ ସାହୁ ସର୍ବାଧିକ ୨୯ ରନ୍‌ କରିଥିଲେ। ପ୍ରତିପକ୍ଷ ଦଳର ବୋଲର ସେକ୍‌ ଶହୀଦ ୪ ଓଭରରେ ୫ରନ୍‌ ଦେଇ ୪ ଉଇକେଟ ନେଇଥିଲେ।

ଜବାବରେ ଇଷ୍ଟକୋଷ୍ଟ ରେଲୱେ ୧୧ ଓଭରରେ ୩ ଉଇକେଟ ହରାଇ ୧୦୧ ରନ୍‌ କରି ବିଜୟୀ ହୋଇଥିଲା। ଏହି ବିଜୟ ସହ ଇଷ୍ଟକୋଷ୍ଟ ରେଲୱେ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ସର୍ବାଧିକ ୪୩ ରନ୍‌ କରିଥିଲେ।

ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକର ପ୍ରଶାନ୍ତ ସାହୁ ୨ ଉଇକେଟ୍‌ ନେଇଥିଲେ। ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକର ସେକ୍‌୍‌ ଶହୀଦଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଅମ୍ପାୟର ଭାବେ ମାନସ ବେହୁରିଆ, ଶାନ୍ତନୁ ରାଉତ, ଶଶୀ ଭୂଷଣ ମିଶ୍ର, ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁକାନ୍ତ କୁମାର ବେହେରା, ଆଶିଷ ଚକ୍ରବର୍ତ୍ତୀ ରହଥିଲେ। ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ପଞ୍ଚାନନ ନାୟକ, ହୃଷିକେଶ ପରିଡ଼ା ଦାୟୀତ୍ୱ ତୁଲାଇ ଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ହାଟଡିହୀ ବ୍ଲକ ରମ୍ପାସ ସେବା ସମବାୟ ସମିତି ସଭାପତି ନିରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟରେ ସାଇସତ୍ୟ ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ଜଗନ୍ନାଥ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ହାର୍ଦ୍ଧିକ୍‌ କାଣ୍ଡି, ସୌମ୍ୟଜିତ୍‌ ସାହୁ, ଅରୁଣ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ମଙ୍ଗଳବାର ତୃତୀୟ ଦିନ ପୁଲ୍‌-‘ବିି’ର ପ୍ରଥମ ମ୍ୟାଚ୍‌ ଇଷ୍ଟକୋଷ୍ଟ ରେଲୱେ ୱାଲଟିଆର, ବିଶାଖାପାଟ୍‌ନମ୍‌ ସହିତ ବିସିସିସି ପୋଲିସ ଲାଇନ୍‌ ବୋକାରୋ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟ କମିଟିର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।