ଆଜି ରାତି ଅଧରୁ ବଦଳିବ ବ୍ୟାଙ୍କ ନିୟମ! ଏବେ କେମିତି ଉଠାଇବେ ଟଙ୍କା?

ନୂଆଦିଲ୍ଲୀ,୩୧।୧୦: ଆପଣଙ୍କର SBI, PNB, Canara ବ୍ୟାଙ୍କ ଭଳି ସରକାରୀ ବ୍ୟାଙ୍କ କିମ୍ବା HDFC ସମେତ ଯେକୌଣସି ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଥାଉ ନା କାହିଁକି, ବ୍ୟାଙ୍କ ଆକାଉଣ୍ଟ ସହିତ ଜଡିତ ଅନେକ ନିୟମ ୧ ନଭେମ୍ବର ୨୦୨୫ଠାରୁ ପରିବର୍ତ୍ତନ ହେବ। ଆକାଉଣ୍ଟଧାରୀଙ୍କ ସୁବିଧା, ସୁରକ୍ଷିତ ବ୍ୟାଙ୍କିଂ ଓ ସୁରକ୍ଷିତ ଉଠାଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଆଜି ରାତି ୧୨ଟାରୁ କାର୍ଯ୍ୟକାରୀ ହେବ।

ଆପଣ ୧ ନଭେମ୍ବର ଠାରୁ ବ୍ୟାଙ୍କିଂ ଆକାଉଣ୍ଟ ସହିତ ଜଡିତ ଅନେକ ପରିବର୍ତ୍ତନ ଦେଖିବେ। ଏହି ବ୍ୟାଙ୍କିଂ ନିୟମ ସହିତ, ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ, ତାଙ୍କ ଉତ୍ତରାଧିକାରୀମାନେ ଆକାଉଣ୍ଟ କିମ୍ବା ଲକରରେ ଜମା ହୋଇଥିବା ଟଙ୍କା ସହଜରେ ପାଇପାରିବେ। ତଥାପି, ଏହି ନିୟମରେ ଆକାଉଣ୍ଟଧାରୀଙ୍କ ପାଇଁ ଟଙ୍କା କାରବାର ଭଳି ମୌଳିକ ବ୍ୟାଙ୍କିଂ କାର୍ଯ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଅକ୍ଟୋବର ୧ ତାରିଖରୁ, ଆକାଉଣ୍ଟ, ସେଫ୍ ଡିପୋଜିଟ୍ ଲକର୍ ଓ ସେଫ୍ ହେପାଜତ ସାମଗ୍ରୀ ପାଇଁ ନାମାଙ୍କନ ନିୟମ ପରିବର୍ତ୍ତନ ହେଉଛି। ନୂଆ ନିୟମ ଅନୁଯାୟୀ ସମସ୍ତ ବ୍ୟାଙ୍କ ସେମାନଙ୍କର ଗ୍ରାହକମାନଙ୍କୁ ନାମାଙ୍କନ ସୁବିଧା ପ୍ରଦାନ କରିବାକୁ ବାଧ୍ୟ ହେବେ। ତଥାପି ଆକାଉଣ୍ଟଧାରକ ଏକ ଲିଖିତ ଆବେଦନ ଦାଖଲ କରି ନାମାଙ୍କନରୁ ଓହରି ପାରିବେ। ବ୍ୟାଙ୍କ ଲକରର ନିୟମ ମଧ୍ୟ ବଦଳି ଯାଇଛି। ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଲକର ପାଇଁ ମଧ୍ୟ ଚାରି ଜଣ ନୋମିନି ବାଛିପାରିବେ। ତଥାପି ଏଠାରେ ନୋମିନିଙ୍କ ଅଧିକାର କ୍ରମିକ ଭାବରେ ହେବ, ଅର୍ଥାତ୍, ପ୍ରଥମ ନୋମିନି ପ୍ରଥମେ ଅଧିକାର ପାଇବେ। ପ୍ରଥମ ନୋମିନି ଅନୁପସ୍ଥିତିରେ, ଦ୍ୱିତୀୟ, ତା’ପରେ ତୃତୀୟ ଓ ଚତୁର୍ଥ ଅଧିକାର ପାଇବେ।

ଏପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ କେବଳ ଜଣେ ନୋମିନି ଯୋଡିବାର ସୁବିଧା ଥିଲା । କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଉଛି, ବ୍ୟାଙ୍କିଂ ଆଇନ ସଂଶୋଧନ ଆଇନ ୨୦୨୫ ଅନୁଯାୟୀ, ଜଣେ ବ୍ୟାଙ୍କ ଗ୍ରାହକ ଜଣଙ୍କୁ ନୁହେଁ ବରଂ ଚାରି ଜଣଙ୍କୁ ନୋମିନି କରିପାରିବେ। RBI ୧୯୫୬ ରୁ ୨୦୨୧ ପର୍ଯ୍ୟନ୍ତ ଜାରି ହୋଇଥିବା ୩୧ ପୁରୁଣା ସର୍କୁଲାରକୁ ବାତିଲ କରି ଚାରି ଜଣଙ୍କୁ ନୋମିନି ଯୋଡିବାର ସୁବିଧା ଦେଇଛି।

 

Dharitri – Odisha’s No.1 Trusted Odia Daily

 

Share