ବ୍ୟାଙ୍କରୁ ଋଣ ନେଇ ଶୁଝିଲେନି: ଘର ସିଲ୍‌ କଲା ପ୍ରଶାସନ

ଧର୍ମଶାଳା,୧୬।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାଣତୀର ଗାଁର ଚିତ୍ତରଞ୍ଜନ ନାୟକ ସ୍ଥାନୀୟ ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ ଋଣ ଆଣି ପରିଶୋଧ ନକରିବାରୁ ତାଙ୍କ ଘରକୁ ସିଲ କରାଯାଇଅଛି । ମିଳିଥିବା ସୂଚନା ଅନୁସାରେ ଚିତ୍ତରଞ୍ଜନ ୨୦୦୭ମ ସିହାରେ ବ୍ୟବସାୟ ପାଇଁ ୨୦ଲକ୍ଷ ଟଙ୍କା ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରୁ ଋଣ କରିଥିଲେ। ମାତ୍ର କୌଣସି କାରଣରୁ ଋଣ ପରିଶୋଧ କରି ପାରି ନ ଥିଲେ।
ବାରମ୍ବାର କୋର୍ଟଙ୍କ ନୋଟିସ ଜାରି ହୋଇଥିଲେ ସୁଦ୍ଧା ଋଣ ପରିଶୋଧ ନକରିବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରସୁଲପୁର ଅତିରିକ୍ତ ତହସିଲଦାର, ଧର୍ମଶାଳା ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଘର ସିଲ କରାଯାଇଅଛି । ଅପରପକ୍ଷରେ ଚିତ୍ତରଞ୍ଜନ କହିଛନ୍ତି ତାଙ୍କୁ କୌଣସି ନୋଟିସ ଜାରି କରାଯାଇନାହିଁ। ସେ ଲୋନ ଆଣିବା ପରେ ବ୍ୟବସାୟରେ କ୍ଷତି ହୋଇଥିବା କାରଣରୁ ସଠିକ ସମୟରେ ଲୋନ ପରିଶୋଧ କରି ପାରି ନଥିଲେ। ପର ମୁହର୍ତ୍ତରେ ବାରବଟି ୟୁକୋ ବ୍ୟାଙ୍କ ଶାଖାରେ ପହଞ୍ଚି ଶୁଝିବା ପାଇଁ କହିବା ବେଳେ ସେଠାରେ ହେବନି ବରଂ ବାଲେଶ୍ୱରସ୍ଥିତ ଜେଡଓରେ କଥା ହେବା ପାଇଁ କହିଥିଲେ।
ଚିତ୍ତରଞ୍ଜନ ସେଠାକୁ ଯାଇଁ ୧୨ଲକ୍ଷ ଟଙ୍କାରେ ସେଟେଲମେଣ୍ଟ କରିବା ପାଇଁ ଆଲୋଚନା କରିଥିଲେ। ତେଣୁ ୨୦୨୦ ମସିହା ଏବଂ ୨୦୨୩ ମସିହାରେ ୭ଲକ୍ଷ ଟଙ୍କା ଜମା କରିଥିଲେ। ପରେ ବିବ୍ୟାଙ୍କ ପକ୍ଷରୁ କୌଣସି ନୋଟିସ ନ ଦେଇ ସମୟ ନଦେଇ ଅଚାନକ ଭାବେ ପହଞ୍ଚି ସିଲ କରାଯାଇଥିବା ଅଭିଯୋଗ କରିଛନ୍ତି।
ସେହିପରି ଘରେ ଥିବା ବୃଦ୍ଧା, ମହିଳା ଓ ଛୋଟ ଛୋଟ ପିଲା ମାନେ କାନ୍ଦି ନେହୁରା ହୋଇ ଥିଲେ ବି ପ୍ରଶାସନ ପକ୍ଷରୁ ସେମାନଙ୍କ ଘରେ ପଶି ଜିନିଷ ପତ୍ର ବାହାର କରାଯାଇଥିଲା।