ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ ଆକ୍ରୋଶ ମଧ୍ୟରେ, ଅନେକ ପ୍ରତିବାଦକାରୀ ବାଂଲାଦେଶର ପ୍ରମୁଖ ଖବରକାଗଜର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ୟୁନୁସ ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏକ ଦିନ ପାଇଁ ରାଷ୍ଟ୍ର ଶୋକ ଘୋଷଣା କରିଛନ୍ତି।

ଏହି ସମୟରେ ବାଂଲାଦେଶର ଖୁଲନାରେ ଖବରଦାତା ଇମଦାଦୁଲ ହକ ମିଲନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଛି ଯେ ଏହି ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଲନ ଶାଲୁଆ ପ୍ରେସ କ୍ଲବର ସଭାପତି ଥିଲେ। ଆକ୍ରମଣ ସମୟରେ ମିଲନ ଶାଲୁଆ ବଜାରର ଏକ ଚା ଦୋକାନରେ ବସି ଚା ପିଉଥିଲେ। ସେହି ସମୟରେ, ଦୁଇଟି ମୋଟରସାଇକେଲରେ ଚାରି ଜଣ ବ୍ୟକ୍ତି ହଠାତ୍‌ ତାଙ୍କ ଉପରେ ଗୁଳି ଚଳାଇ ଦ୍ରୁତ ଗତିରେ ପଳାଇ ଯାଇଥିଲେ। ହିଂସାରେ ୪ ଜଣ ପୋଲିସ ଆହତ ହୋଇଛନ୍ତି।

ବାଂଲାଦେଶରେ ଥିବା ଭାରତୀୟ ଉଚ୍ଚାୟୋଗ ଶୁକ୍ରବାର ଏକ ନୋଟିସ ଜାରି କରି ବାଂଲାଦେଶରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଭାରତୀୟ ଛାତ୍ରମାନଙ୍କୁ ଯାତ୍ରା ଏଡାଇବାକୁ ଅପିଲ କରିଛି।

Dharitri – The Largest & Most Trusted Odia Daily