Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ ନିର୍ବାଚନ କରିବା ପାଇଁ ପୁଣିଥରେ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ଦେଶ ନିର୍ଦ୍ଧାରିତ ସମୟ ଅନୁଯାୟୀ ନିର୍ବାଚନ କରିବ। ସୋମବାର ସନ୍ଧ୍ୟାରେ ୟୁନୁସ୍ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ସର୍ଗିଓ ଗୋର୍ଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ । ଏଥିରେ ନିର୍ବାଚନ, ଗଣତାନ୍ତ୍ରିକ ପରିବର୍ତ୍ତନ, ବାଣିଜ୍ୟ ଶୁଳ୍କ ଏବଂ ଯୁବ ରାଜନୈତିକ କର୍ମୀ ସରିଫ୍ ଓସମାନ ହାଦିଙ୍କ ହତ୍ୟା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ମତଦାନ ଅଧିକାର ପ୍ରୟୋଗ କରିବାର ସୁଯୋଗ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଯାହାକୁ ପୂର୍ବ ଏକଛତ୍ରବାଦୀ ଶାସନ ଦ୍ୱାରା ଛଡ଼ାଇ ନିଆଯାଇଥିଲା। ସେ କହିଛନ୍ତି, ନିର୍ବାଚନକୁ ଆମର ପ୍ରାୟ ୫୦ ଦିନ ବାକି ଅଛି। ଆମେ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବାକୁ ଚାହୁଁଛୁ ଏବଂ ସେଗୁଡ଼ିକୁ ସ୍ମରଣୀୟ କରିବାକୁ ଚାହୁଁଛୁ। ଦେଶରେ ସାମ୍ପ୍ରତିକ ଘଟଣାଗୁଡ଼ିକ କିଛି ନିରାଶା ସୃଷ୍ଟି କରିଛି, କିନ୍ତୁ ଆମର ମନୋବଳ ଉଚ୍ଚ ରହିଛି।” ୟୁନୁସ୍ କହିଛନ୍ତି ଯେ ଦେଶର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଆମେରିକାର ସ୍ୱତନ୍ତ୍ର ଦୂତ ସର୍ଗିଓ ଗୋରଙ୍କ ସହ ଆଲୋଚନା ସମୟରେ ଯୁବ ରାଜନୈତିକ କର୍ମୀ ସରିଫ ଓସମାନ ହାଦିଙ୍କ ହତ୍ୟା କଥା ମଧ୍ୟ ଉଠିଥିଲା। ୟୁନୁସ ଅଭିଯୋଗ କରିଥିଲେ ଯେ ବିତାଡିତ ଏକଛତ୍ରବାଦୀ ଶାସନର ସମର୍ଥକମାନେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରୁଛନ୍ତି ଏବଂ ସେମାନଙ୍କର ପଳାତକ ନେତାମାନେ ହିଂସାକୁ ଉସୁକାଉଛନ୍ତି । ତଥାପି ସେ ଆଶ୍ୱାସନା ଦେଇଥିଲେ ଯେ ମଧ୍ୟବର୍ତ୍ତୀକାଳୀନ ସରକାର ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ବାଂଲାଦେଶରେ ହିଂସାକୁ ଉସୁକାଉଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

 

Dharitri – Odisha’s No.1 Odia Daily

Share