ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ବାଂଲାଦେଶ: ଏମିତି କଲେ ପରିସ୍ଥିତି ହେବ ଖରାପ

ଢାକା,୭।୨(ପି.ଟି.):ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଭାରତରେ ରହିଥିବାବେଳେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଦେଉଥିବା ନେଇ ଢାକା ଗୁରୁବାର ନୂଆଦିଲ୍ଲୀ ନିକଟରେ ପ୍ରତିବାଦ ଜଣାଇଛି। ବାଂଲାଦେଶର ସାମ୍ପ୍ରତିକ ଶାସନ ବିରୋଧରେ ପ୍ରତିରୋଧ ପାଇଁ ଦେଶବାସୀ ସଂଗଠିତ ହେବାକୁ ବୁଧବାର ରାତିରେ ହାସିନା ସାମାଜିକ ଗଣମାଧ୍ୟମରେ ଭାଷଣ ଦେଇଥିଲେ। ବାଂଲାଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାର ଦୃଢ଼ ପ୍ରତିବାଦ କରିଛି। ହାସିନା ବିଭିନ୍ନ ପ୍ଲାଟ୍‌ଫର୍ମରେ ମିଛ ଓ ମନଗଢ଼ା ବିବୃତି ଦେବା ଜାରି ରଖିଥିବାରୁ ଏହା ଦେଶରେ ଅସ୍ଥିରତାକୁ ଉସୁକାଉଛି ବୋଲି ବାଂଲାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଢାକାସ୍ଥିତ ଭାରତର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ଜଣାଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଗଭୀର ଚିନ୍ତାର ବିଷୟ। ଏହା ଦେଶବାସୀଙ୍କ ଭାବାବେଗକୁ ଆଘାତ ଦେଉଛି। ଏଥିପାଇଁ ବାଂଲାଦେଶ ନିଜର ଅସନ୍ତୋଷ ଓ ଅସହମତ ଜଣାଉଛି। ହାସିନାଙ୍କ ଏଭଳି କାର୍ଯ୍ୟ ବାଂଲାଦେଶ ପ୍ରତି ଶତ୍ରୁତା। ଦୁଇ ଦେଶର ସୁସ୍ଥ ସମ୍ପର୍କ ପ୍ରତିଷ୍ଠା ଉଦ୍ୟମରେ ଏହା ଅନୁକୂଳ ନୁହେଁ ବୋଲି ଢାକା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବାଂଲାଦେଶରେ ଗତ ଜୁଲାଇ-ଅଗଷ୍ଟରେ ଜୋର୍‌ଦାର ଛାତ୍ର ଆନ୍ଦୋଳନ ପରେ ୭୭ ବର୍ଷୀୟ ହାସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ।