ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ ବିଫଳ ହୋଇଛନ୍ତି। ଶାକିବଙ୍କ ବୋଲିଂ ଆକ୍ସନ ଉପରେ ନୂତନ ତଦନ୍ତ ଗତ ମାସରେ ଚେନ୍ନାଇର ରାମଚନ୍ଦ୍ର ସେଣ୍ଟର ଫର୍ ସ୍ପୋଟର୍ସ ସାଇନ୍ସରେ କରାଯାଇଥିଲା।
ଶନିବାର ଏକ ବୟାନରେ ବିସିବି କହିଛି, “ଲଫବରୋ ବିଶ୍ୱବିଦ୍ୟାଳୟ ଦ୍ୱାରା ଶାକିବଙ୍କ ଉପରେ ଲଗାଯାଇଥିବା ନିଲମ୍ବନ ଜାରି ରହିବ। ନିଲମ୍ବନ ସମାପ୍ତ କରିବା ପାଇଁ ଏକ ସଫଳ ତଦନ୍ତ ଆବଶ୍ୟକ। ଶାକିବ ବୋଲିଂ କରିବାକୁ ଯୋଗ୍ୟ ନୁହଁନ୍ତି କିନ୍ତୁ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ସମସ୍ତ ଫର୍ମାଟରେ ଖେଳିପାରିବେ।”
ସେପ୍ଟେମ୍ବରରେ ଇଂଲଣ୍ଡରେ ଏକ କାଉଣ୍ଟି ମ୍ୟାଚ ସମୟରେ ଶାକିବଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ବୋଲି ଜଣାପଡିଥିଲା। ଏହା ପରେ ଗତ ବର୍ଷ ଡିସେମ୍ବରରେ, ଶାକିବ ୟୁକେର ଲଫବରୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ବୋଲିଂ ଆକ୍ସନ ଯାଞ୍ଚରେ ବିଫଳ ହୋଇଥିବା ଜଣାପଡିଥିଲା। ଅବୈଧ ବୋଲିଂ ଆକ୍ସନ ଉପରେ AICC ନିୟମ ପାଳନ କରି ଶାକିବଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ନିଲମ୍ବିତ କରିଥିଲା।
ଶାକିବଙ୍କ ନିଲମ୍ବନ ଚାମ୍ପିଅନ୍ସ ଟ୍ରଫି ପାଇଁ ବାଂଲାଦେଶ ଦଳକୁ ମଧ୍ୟ ପ୍ରଭାବିତ କରିପାରେ। କାରଣ ଜାନୁଆରୀ ୩ ତାରିଖରେ ବିସିବି ସଭାପତି ଫାରୁକ ଅହମ୍ମଦ ସାକିବଙ୍କୁ ଦଳକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେହି ସମୟରେ, ଖବର ମଧ୍ୟ ଆସିଥିଲା ଯେ ବାଂଲାଦେଶ ଅଧିନାୟକ ନାଜମୁଲ ହୁସେନ ଶାନ୍ତୋ ମଧ୍ୟ ସାକିବଙ୍କୁ ଏକଦିବସୀୟ ଦଳରେ ସାମିଲ କରିବା ସପକ୍ଷରେ ଅଛନ୍ତି। କିନ୍ତୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଦଳରେ ତାଙ୍କ ନାମ ନ ଥିଲା।
ଶାକିବ ସେପ୍ଟେମ୍ବର-ଅକ୍ଟୋବର ୨୦୨୪ରେ ଭାରତ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବା ପରଠାରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି। ଏହା ପରେ, ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯୋଗୁ ସେ ନିଜ ଦେଶକୁ ଫେରିପାରିଲେ ନାହିଁ। ଶାକିବ ତାଙ୍କର ଶେଷ ଦିନିକିଆ ମ୍ୟାଚ ୨୦୨୩ ODI ବିଶ୍ୱକପରେ ଖେଳିଥିଲେ।