ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ନିର୍ୱାଚନ ଆୟୋଗ କହିଛନ୍ତି। ଦେଶର ବିଭିନ୍ନ ଭାଗରେ ପ୍ରାୟ ୧୦ ଲକ୍ଷ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି, ଯାହାକି ବାଂଲାଦେଶ ନିର୍ୱାଚନ ଇତିହାସରେ ପ୍ରଥମ। ୨୯୯ ସଂସଦୀୟ କ୍ଷେତ୍ର ପାଇଁ ଗୁରୁବାର ସକାଳ ୭.୩୦ ମିନିଟ୍ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଚାଲିବ। ନିର୍ୱାଚନରେ ପ୍ରମୁଖ ଦଳ ସମେତ ମୋଟ ୫୦ ଦଳର ୧୭୫୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର କାର୍ଯ୍ୟ କରିଥିଲା। ଏହାର ପ୍ରାୟ ୧୮ ମାସ ପରେ ଏଠାରେ ନିର୍ୱାଚନ କରାଯାଉଛି।