Dubai: Virat Kohli captain of Royal Challengers Bangalore plays a shot during IPL 2020 cricket match against Chennai Super Kings, at Dubai International Cricket Stadium in Dubai, United Arab Emirates, Saturday, Oct. 10, 2020. (PTI/Sportzpics for BCCI)(PTI10-10-2020_000197B)
ଦୁବାଇ, ୧୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୫ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୩୨ ରନ କରି ପରାସ୍ତ ହୋଇଛି। ବିଜୟ ସହ ୮ ପଏଣ୍ଟ ପାଇ ବାଙ୍ଗାଲୋର ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି।
୧୭୦ ରନ ଟାର୍ଗେଟର ପିଛା କରି ଚେନ୍ନାଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଆବଶ୍ୟକ ହାରରେ ରନ୍ ସଂଗ୍ରହ କରି ନ ପାରି ଆତ୍ମ ସମର୍ପଣ କରିଥିଲା। ଦଳ ତରଫରୁ ଅମ୍ବାତି ରାୟୁଡୁ ସର୍ବାଧିକ ୪୨, ଏନ୍. ଜଗଦୀଶନ ୩୩, ସେନ୍ ଓ୍ବାଟସନ ୧୪, ଧୋନୀ ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ କ୍ରିସ ମୋରିସ୍ ୩, ଓ୍ବାଶିଂଟନ ସୁନ୍ଦର ୨, ଇସୁରୁ ଉଡାନା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଇନିଂସ ଆରମ୍ଭରୁ ବାଙ୍ଗାଲୋର ଆରୋନ ଫିଞ୍ଚ୍ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ମାତ୍ର ୨ ରନ କରି ଫିଞ୍ଚ୍ ଦୀପକ ଚହରଙ୍କ ବଲ୍ରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଓପନର ଦେବଦତ୍ତ ପଡିକାଲ ଓ କୋହଲି ଦ୍ୱିତୀୟ ଉଇକେଟ ଯୋଡିରେ ୪୫ ବଲରୁ ୫୩ ରନ ସଂଗ୍ରହ କରିଥିଲେ। ପଡିକାଲ ୩୩ ରନ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍ରେ ମିଡ୍ ଅଫ୍ରେ ଫାଫ୍ ଡୁପ୍ଲେସିଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଏହାପରେ ଅଭିଜ୍ଞ ଏବି ଡିଭିଲର୍ସ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ପୂର୍ବରୁ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କୁ କ୍ୟାଚ୍ ଦେଇ ଠାକୁରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ସେହିପରି ଓ୍ବାଶିଂଟନ ସୁନ୍ଦର ୧୦ ବଲରୁ ୧୦ ରନ କରି ସାମ କୁରାନଙ୍କ ବଲ୍ରେ ଧୋନୀଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ କୋହଲି ଓ ଶିବମ୍ ଦୁବେ ୩୪ ବଲରୁ ଅପରାଜିତ ୭୬ ରନ ସଂଗ୍ରହ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଦୁବେ ୧୪ ବଲରୁ ୨ ଚୌକା ଓ ୧ ଛକା ସହ ୨୨ ରନ କରି ଅପରାଜିତ ରହିଥିଲେ। କୋହଲି ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୪ ଛକା ସହ ୯୦ ରନ କରି ଅପରାଜିତ ରହିବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଏଥିସହ କୋହଲି ପୂରା ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି। ଦୀର୍ଘଦିନ ପରେ ସେ ଆଶାନୁରୂପ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଛନ୍ତି। ବୋଲିଂରେ ଚେନ୍ନାଇ ତରଫରୁ ଠାକୁର ୨, ଚହର ଓ କୁରାନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୬୯/୪
(କୋହଲି- ୯୦*, ପଡିକାଲ- ୩୩, ଦୁବେ- ୨୨*, ସୁନ୍ଦର- ୧୦, ଠାକୁର- ୨/୪୦, ଚହର- ୧/୧୦, କୁରାନ- ୧/୪୮)।
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭାରରେ୧୩୨/୮
(ରାୟୁଡୁ- ୪୨, ଜଗଦୀଶନ- ୩୩, ଧୋନୀ- ୧୦, ଓ୍ବାଟସନ-୧୪, ଚହଲ- ୧/ ୩୫, ମୋରିସ୍- ୩/୧୯, ସୁନ୍ଦର- ୨/୧୬, ଉଡାନା- ୧/୩୦ )।