ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି ବନ୍ଧୁକଧାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଫେରାର ଥିବା କୁହାଯାଉଛି। ଆକ୍ରମଣ ବେଳେ ବେଳାଭୂମିରେ ଇହୁଦୀମାନଙ୍କ ପର୍ବ ‘ହାନୁକ୍କା’ ଚାଲିଥିଲା। ଇହୁଦୀଙ୍କ କ୍ୟାଲେଣ୍ଡର ଅନୁଯାୟୀ ହିବ୍ରୁ ମାସରେ ୮ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ଏହା ଡିସେମ୍ବର ୧୪ରୁ ଆରମ୍ଭ ହୋଇ ୨୨ ଯାଏ ଚାଲିବ ବୋଲି ସ୍ଥିର ହୋଇଥିଲା। ଉକ୍ତ ଧର୍ମୀୟ ଉତ୍ସବର ପ୍ରଥମ ଦିନରେ ବଣ୍ଡାଇ ବେଳାଭୂମିରେ ୧ ହଜାରରୁ ଊର୍ଦ୍ଧ୍ୱ ଇହୁଦୀ ଏକତ୍ରିତ ହୋଇଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କୁହାଯାଉଛି ଇହୁଦୀମାନଙ୍କ ପ୍ରତି ଘୃଣାଭାବ ପ୍ରଦର୍ଶନପୂର୍ବକ ଏଭଳି ଆକ୍ରମଣ କରାଯାଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ସମ୍ପୃକ୍ତ ଆକ୍ରମଣରେ ବିଦେଶୀ ଶକ୍ତିର ହାତ ଥିବା କହି ଇରାନ୍ ଆଡ଼କୁ ଇଙ୍ଗିତ କରିଛନ୍ତି। ସୂଚନା ଦିଆଯାଇପାରେ ଯେ, ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଇରାନ୍ ଇହୁଦୀ ବିରୋଧୀ ମନ୍ତବ୍ୟ ଦେବା ସହ ହମାସକୁ ସାମରିକ ସହଯୋଗ ଯୋଗାଇଆସୁଛି। ଇସ୍ରାଏଲ-ହମାସ ଯୁଦ୍ଧ ସ୍ଥିତି ଉପରେ ଅଷ୍ଟ୍ରେଲିଆ ବିଭିନ୍ନ ସମୟରେ ଭିନ୍ନ ମତ ରଖି ଆସୁଥିବାରୁ ହମାସ ସପକ୍ଷବାଦୀ ରାଷ୍ଟ୍ର ପକ୍ଷରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଚଳିତବର୍ଷ ଜୁଲାଇରେ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଥିଲା ଯେ, ଗାଜାର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି ଏବଂ ଅଷ୍ଟ୍ରେଲିଆ ପାଇଁ ପ୍ରତିଟି ନିରୀହଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ । ପୁଣି ଆଧୁନିକ ଇସ୍ରାଏଲ ରାଷ୍ଟ୍ର ଗଠନକୁ ଅଷ୍ଟ୍ରେଲିଆ ସମର୍ଥନ କରିଆସୁଥିବା କହିଥିଲା। ଗତ ଡିସେମ୍ବର ୪ରେ ଅଷ୍ଟ୍ରେଲିଆ ପୁଣି ତା’ର ମତ ପରିବର୍ତ୍ତନ କରି ଜାତିସଂଘର ଏକ ପ୍ରସ୍ତାବକୁ ସମର୍ଥନ କରିଥିଲା, ଯାହା ଦାବି କରିଥିଲା ଯେ ଇସ୍ରାଏଲ ଯଥାସମ୍ଭବ ଅଧିକୃତ ପାଲେଷ୍ଟାଇନ୍ ଅଞ୍ଚଳରେ ତା’ର ବେଆଇନ ଉପସ୍ଥିତିକୁ ସମାପ୍ତ କରୁ। ଏଥିରୁ ବୁଝିବାକୁ ହେବ ଯେ, କୌଣସି ପ୍ରସଙ୍ଗରେ ଏକ ଦେଶ ତା’ର ବୈଦେଶିକ ନୀତିକୁ ବାରମ୍ବାର ପରିବର୍ତ୍ତନ କରିଚାଲିଲେ ତାହା ଅନ୍ୟମାନଙ୍କ ବିଶ୍ୱାସ ହରାଇଥାଏ।
ଆଜିର ପୃଥିବୀରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁଥିଲେ ମଧ୍ୟ ଅନ୍ୟ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହୋଇଥାଆନ୍ତି, ତାହା ସାମରିକ ହେଉ ବା ଆର୍ଥିକ ଦୃଷ୍ଟିକୋଣରୁ। ଏବେ ଇସ୍ଲାମୀୟ ଜେହାଦୀଙ୍କ ଦ୍ୱାରା ଘଟାଯାଉଥିବା ହିଂସା ବିଶ୍ୱବ୍ୟାପୀ ହୋଇଗଲାଣି। ସେଥିପାଇଁ ପ୍ରତ୍ୟେକ ଦେଶକୁ ନିଜ ସୁରକ୍ଷା ସକାଶେ ସ୍ପଷ୍ଟ ପଦକ୍ଷେପ ନେବାକୁ ହେବ। କୌଣସି ଦେଶର ବିଭାଜିତ କିମ୍ବା ଦୁର୍ବଳ ନେତୃତ୍ୱ ଜେହାଦୀ ଆକ୍ରମଣକୁ ନିମନ୍ତ୍ରଣ କରିଥାଏ। ମନେରଖିବାକୁ ହେବ ଯେ, ଆଜିର ପରିସ୍ଥିତିରେ ଇସ୍ଲାମୀୟ ଆତଙ୍କବାଦୀ ବିଦେଶରୁ ଆସିବା ଦରକାର ନାହିଁ।