ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅରୁଣୋଦୟ ରାଞ୍ଚି ଫାଇଟର୍ ଏବଂ ୟୁନୟନ ସ୍ପୋର୍ଟିଂ କଟକ ମଧ୍ୟରେ ହୋଇଥିଲା।
ରାଞ୍ଚି ଦଳକୁ ୧୫୯ ରନରେ ପରାସ୍ତ କରି କଟକ ଫାଇନାଲରେ ପ୍ରବେଶ କରିଛି। ରାଞ୍ଚି ଦଳ ଟସ୍ ଜିତି କଟକକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କଟକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୪୫ ରନ୍ କରିଥିଲା । ଦଳ ପକ୍ଷରୁ ବିଶ୍ୱଜିତ ପ୍ରଧାନ ଅପରାଜିତ ୧୦୦ ଓ ରାଜୀବ ଲୋଚନ ସାହୁ ୯୦ ରନ୍ କରିଥିଲେ। ରାଞ୍ଚି ଦଳର ଅରୁଣ ଯାଦବ ୨ଟି ଉଇକେଟ ନେଇଥିଲେ।
ଜବାବରେ ରାଞ୍ଚି ଦଳ ବ୍ୟାଟିଂ କରି ୧୩.୫ ଓଭରରେ ସମସ୍ତ ଉଇକେଟ ହରାଇ ୮୬ ରନ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରାହୁଲ ମାହାତ ୨୯ ଓ ପର୍ଦୁମ କୁମାର୍ ୨୨ ରନ କରିଥିଲା ବେଳେ କଟକ ଦଳର ଗଣେଶ ତମାର ୪ଟି ଏବଂ ଅଧିନାୟକ ସୌରଭ କାନୋଜିଆ ୩ଟି ଉଇକେଟ ନେଇଥିଲେ।
କଟକର ବିଶ୍ୱଜିତ ପ୍ରଧାନଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। କାଉନସିଲର ସଂଯୁକ୍ତା ଆଚାର୍ଯ୍ୟ ଓ ବାସନ୍ତୀ ମାଝୀ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହେବା ସହ ମ୍ୟାଚ୍ର ଉଦ୍ଘାଟନ କରିଥିଲେ।
ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ, ଜିଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି ଓ ଯୁବନେତା ଭୋଳେସର ପ୍ରଧାନ ଅତିଥିଭାବେ ଯୋଗଦେଇ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବାମଣ୍ଡା କ୍ରିକେଟ କ୍ଲବ ଉପସଭାପତି ଅଶୋକ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲ।