ଇସଲାମାବାଦ୍,୨୮।୫: ବାଲୋଚିସ୍ତାନର ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ମୀର ୟାର ବାଲୁଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ଚିଠିରେ ସେ ୧୯୯୮ ମସିହାରେ ପାକିସ୍ତାନ ଦ୍ୱାରା ବାଲୋଚିସ୍ତାନରେ କରାଯାଇଥିବା ପରମାଣୁ ପରୀକ୍ଷଣକୁ ନରସଂହାରର ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପାକିସ୍ତାନର ପରମାଣୁ ଅସ୍ତ୍ର ଜବତ କରିବାକୁ ବିଶ୍ୱକୁ ନିବେଦନ କରିଛନ୍ତି। ସେ ମୋଦିଙ୍କୁ ମଧ୍ୟ ନିବେଦନ କରିଛନ୍ତି, ଭାରତ ସ୍ବାଧୀନତା ସଂଗ୍ରାମରେ ବାଲୋଚିସ୍ତାନର ଚାଗାଇରେ ପାକିସ୍ତାନ ଦ୍ୱାରା କରାଯାଇଥିବା ପରମାଣୁ ପରୀକ୍ଷଣ ସହିତ ଚିଠି ଆରମ୍ଭ କରିଥିଲେ। ସେ ଲେଖିଛନ୍ତି, ନୱାଜ ସରିଫ ସରକାରଙ୍କ ସହମତିରେ ପାକିସ୍ତାନୀ ସେନା ବାଲୋଚିସ୍ତାନ ଭୂମିକୁ ନଷ୍ଟ କରିଥିଲା। ଏହି ବିସ୍ଫୋରଣ ଯୋଗୁ ଚାଗାଇ ଏବଂ ରାସ କୋହ ପାହାଡ଼ରେ ଏବେ ବି ବିସ୍ଫୋରକର ଗନ୍ଧ ଆସୁଛି। ଏହି ପରୀକ୍ଷଣ ଯୋଗୁ ଅନେକ ଫାର୍ମ ନଷ୍ଟ ହୋଇଛି, ଗାଈଗୋରୁ ମରିଛନ୍ତି, ପିଲାମାନେ ଅକ୍ଷମ ହୋଇ ଜନ୍ମ ହେଉଛନ୍ତି।
ଚିଠିରେ ବାଲୋଚିସ୍ତାନ ନେତା ପାକିସ୍ତାନ ସେନା ଏବଂ ISIକୁ ଆତଙ୍କବାଦୀ ସଂଗଠନର ସିଧାସଳଖ ଉତ୍ପତ୍ତିକର୍ତ୍ତା ବୋଲି କହିଛନ୍ତି। ସେ ଦାବି କରିଛନ୍ତି, ISI ପ୍ରତି ମାସରେ ଏକ ନୂତନ ଆତଙ୍କବାଦୀ ସଂଗଠନ ସୃଷ୍ଟି କରେ ଏବଂ ସେମାନଙ୍କୁ ଭାରତ, ଆଫଗାନିସ୍ତାନ, ବାଲୋଚିସ୍ତାନ, ଏପରିକି ଆମେରିକା ଏବଂ ଇସ୍ରାଏଲ ବିରୋଧରେ ବ୍ୟବହାର କରେ। ପାକିସ୍ତାନ ହେଉଛି ଆତଙ୍କବାଦର ଜନନୀ। ଏହାର ମୂଳ ଉପାଡ଼ି ନ ପଡ଼ିବା ପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହେବ ନାହିଁ।
ବାଲୋଚିସ୍ତାନ ନେତା ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ବାଲୋଚିସ୍ତାନର ସୁନା, ତମ୍ବା, ଗ୍ୟାସ, ତେଲ ଏବଂ ୟୁରାନିୟମ ଲୁଟ କରି ନିଜର ଦୁର୍ବଳ ଅର୍ଥନୀତି ଚଲାଉଛି ଏବଂ ଏହି ଟଙ୍କାରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇ ଦେଉଛି। ଚିଠିରେ ଚାଇନା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ ସେ କହିଛନ୍ତି, ଚାଇନା ବାଲୋଚିସ୍ତାନରେ ସମୁଦ୍ର ଘାଟି ଏବଂ ଏସିଆର ସର୍ବବୃହତ ବିମାନବନ୍ଦର ନିର୍ମାଣ କରିଛି। ଏହା ସହିତ, ଚାଇନା ପ୍ରତ୍ୟେକ ସ୍ତରରେ ପାକିସ୍ତାନର ସେନାକୁ ସମର୍ଥନ କରୁଛି।
ବାଲୋଚିସ୍ତାନ ନେତା ଦାବି କରିଛନ୍ତି, ଯେତେବେଳେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା, ବାଲୋଚିସ୍ତାନ ଲୋକମାନେ ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିଥିଲେ। ସେ ଚିଠିରେ କହିଛନ୍ତି, ଯଦି ଅପରେଶନ ସିନ୍ଦୂର ଆଉ ଗୋଟିଏ ସପ୍ତାହ ଜାରି ରହିଥାନ୍ତା, ତେବେ ଆଜି ଆମେ ଏକ ସ୍ବାଧୀନ ରାଷ୍ଟ୍ର ଭାବରେ ଭାରତ ଏବଂ ବିଶ୍ୱ ସହିତ କଥା ହୋଇଥାନ୍ତୁ। ଚିଠିର ଶେଷରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି, ଭାରତ ବାଲୋଚିସ୍ତାନ ସହିତ ସରକାରୀ ସମ୍ପର୍କ ସ୍ଥାପନ କରିବା ଉଚିତ ଏବଂ ଦିଲ୍ଲୀରେ ବାଲୋଚିସ୍ତାନର ଏକ ଦୂତାବାସ ଖୋଲିବା ଉଚିତ।