Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର କିଛି ଘଣ୍ଟା ପରେ, ଏହାର ସ୍ୱତନ୍ତ୍ର ବାହିନୀ ୟୁନିଟ୍, ମାଜିଦ୍ ବ୍ରିଗେଡ୍ ଆକ୍ରମଣର ପ୍ରଥମ ଦୃଶ୍ୟ ପ୍ରକାଶ କରିଛି। BLA ଏବଂ ପାକିସ୍ତାନୀ ସାମରିକ ବାହିନୀ ଉଭୟ ଦ୍ୱାରା ଜାରି କରାଯାଇଥିବା ଆକ୍ରମଣ ଫୁଟେଜ୍ ଦର୍ଶାଉଛି ଯେ କ୍ୱେଟାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋଶକିରେ ଯାନଗୁଡ଼ିକୁ କିପରି ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା।

ରବିବାର ବେଲୁଚିସ୍ତାନର ନୋଶକିରେ ୭ ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଯବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ବିଷୟରେ ସୂଚନା ଦେବା ସମୟରେ, BLA ଦାବି କରିଛି ଯେ ଏହି ଆକ୍ରମଣରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟଛି।

ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ବସ୍‌କୁ ଆଇଇଡି ଦ୍ୱାରା ଟାର୍ଗେଟ କରାଯାଇଥିଲା, ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଯେତେବେଳେ ଅନ୍ୟ ବସ୍‌ଟି କ୍ୱେଟାରୁ ତାଫତାନ ଯାଉଥିବା ସମୟରେ ଏକ ରକେଟ ଚାଳିତ ଗ୍ରେନେଡ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ନୋଶକି ଏବଂ ଏଫ୍‌ସି କ୍ୟାମ୍ପକୁ ନିଆଯାଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୋସ୍କିର ଏସ୍‌ଏଚ୍‌ଓ ସୁମନାଲି ଆଶଙ୍କା କରିଛନ୍ତି।

ଆକ୍ରମଣ ପରେ ବାଲୁଚ ଲିବରେଶନ ଆର୍ମି ଏକ ବିବୃତ୍ତି ଜାରି କରି କହିଛି ଯେ କିଛି ଘଣ୍ଟା ପୂର୍ବେ ନୋସ୍କିର RCD ହାଇୱେର ରାଖସାନ ମିଲ ନିକଟରେ ଏକ VBIED ଆତ୍ମଘାତୀ ଆକ୍ରମଣରେ ବାଲୁଚ ଲିବରେସନ ଆର୍ମି (BLA)ର ଏକ ଆତ୍ମଘାତୀ ୟୁନିଟ ମାଜିଦ ବ୍ରିଗେଡ କବ୍ଜାକାରୀ ପାକିସ୍ତାନୀ ସେନାର ଏକ କନଭଏକୁ ଟାର୍ଗେଟ କରିଥିଲା। ସେଥିରେ ୮ ବସ ଥିଲା, ଯେଉଁଥିରୁ ଗୋଟିଏ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆକ୍ରମଣର ଅଳ୍ପ ସମୟ ପରେ, BLAର ଫତେହ ସ୍କ୍ବାର୍ଡ ଅନ୍ୟ ଏକ ବସ୍‌କୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଫଳରେ ଶତ୍ରୁପକ୍ଷର ମୋଟ ମୃତାହତ ସଂଖ୍ୟା ୯୦ ରେ ପହଞ୍ଚିଥିବା ବିଏଲ୍‌ଏ କହିଛି।