କ୍ରୀଡ଼ା ଇତିହାସରେ ଯୋଡିହେଲା ବଲାଙ୍ଗୀରର ନବନିର୍ମିତ ଲନ୍‌ବଲ୍‌ କୋର୍ଟ: ହୋଇପାରିବ ଜାତୀୟ, ଅନ୍ତର୍ଜାତୀୟସ୍ତରର ମ୍ୟାଚ୍‌

ବଲାଙ୍ଗୀର, ୧୩ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର କ୍ରୀଡା ଇତିହାସରେ ଗୁରୁବାର ଏକ ଗୌରବମୟ ଫର୍ଦ୍ଦ ଯୋଡି ହୋଇଛି। ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋଟର୍‌ସ୍‌ କମ୍ପ୍ଲେକ୍ସ ଭିତରେ ନବନିର୍ମିତ ଲନ୍‌ବଲ୍‌ କୋର୍ଟକୁ ବିଶେଷଜ୍ଞ ଟିମ୍‌ ସ୍ବୀକୃତି ପ୍ରଦାନ କରିଛି। ଆଗାମୀ ଦିନରେ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ ଆୟୋଜନ ହୋଇପାରିବ ବୋଲି ଜାତୀୟ ଲନ୍‌ବଲ ସଂଘ ଗ୍ରୀନ୍‌ କମିଟି ଅଧ୍ୟକ୍ଷ ବିଶ୍ୱନାଥ ପାଇ କହିଛନ୍ତି।

ଗୁରୁବାର ଏହି ଲନ୍‌ବଲ କୋର୍ଟ ପରିଦର୍ଶନରେ ଆସି ଗ୍ରୀନ କମିଟି ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶାର ଜିଲାସ୍ତରରେ ଅନ୍ତର୍ଜାତୀୟମାନର ଏକ ଲନ୍‌ବଲ କୋର୍ଟ ପ୍ରସ୍ତୁତ କରିଥିବାରୁ ଏଠାରୁ ଆଗାମୀ ଦିନରେ ବହୁ ପ୍ରତିଭାବାନ୍‌ ଲନ୍‌ବଲ ଖେଳାଳି ବାହାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଲନ୍‌ବଲ କୋର୍ଟ ବିଶ୍ୱସ୍ତରୀୟ ହୋଇଛି। ତେବେ ଏଠାରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ ଆୟୋଜନ କରିବାକୁ ହେଲେ ଆହୁରି ଅନେକ କିଛି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ପଡିବ।

ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ଟଏଲେଟ୍‌, ଚେଞ୍ଜିଂ ରୁମ୍‌ ଏବଂ ରହଣିର ବ୍ୟବସ୍ଥା କରିବାକୁ ହେବ। ସେଥିପାଇଁ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। କେବଳ ବଲାଙ୍ଗୀର ଜିଲା ନୁହେଁ ଓଡ଼ିଶାର ପ୍ରତିଭାବାନ ଲନ୍‌ବଲ ଖେଳାଳିଙ୍କୁ କୋଚିଂ ସୁବିଧା ଯୋଗାଇବାକୁ ପଡିବ ବୋଲି କହିଥିଲେ।

ଏହି ପରିଦର୍ଶନ ସମୟରେ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦେଇ ବିଶ୍ୱସ୍ତରୀୟ ଲନ୍‌ବଲ କୋର୍ଟ ସ୍ବୀକୃତି ଏକ ବଡ ଉପଲବ୍ଧତ୍ ବୋଲି କହି ଆଗକୁ ଏହି ଷ୍ଟାଡିୟମର ବିକାଶ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ, ସ୍ପୋଟର୍‌ସ ହଷ୍ଟେଲ କୋଚ୍‌ ପରାଶର ବାଗ୍‌, ରାଜ୍ୟ ଲନ୍‌ ବଲ୍‌ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ଲନ୍‌ବଲ ୍‌କୋଚ୍‌ କୈଳାସ ମାଝି, ନରସିଂହ ରଣା, ବିଷ୍ଣୁପ୍ରିୟା ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।