୨୨ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ, ବଲାଙ୍ଗୀର ବଙ୍ଗୋମୁଣ୍ଡା JE ଗିରଫ

ବଲାଙ୍ଗୀର,୧୦।୧୧: ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ (JE) ଜୟନାରାୟଣ ବାଗ୍‌ଙ୍କୁ ଗିରଫ କରାଯାଇଛି। ସେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୨୨ ଲକ୍ଷ ୧୬ ହଜାର ୭୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଜୟନାରାୟଣ ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବେଲପଡା ଜି.ପି. ଅଞ୍ଚଳରେ ପୋଖରୀ (ଟାଙ୍କି) ପୁନରୁଦ୍ଧାର କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି, ଅତିରିକ୍ତ ମାପ ରେକର୍ଡ କରି, ଏବଂ କାର୍ଯ୍ୟ ନକରି ସରକାରୀ ଅର୍ଥର ହେରଫେର କରିଛନ୍ତି।

ଭିଜିଲାନ୍ସର ତଦନ୍ତରୁ ଜଣାପଡିଛି ଯେ, ମୋଟ୍ ପାଞ୍ଚୋଟି ପୋଖରୀ ମଧ୍ୟରୁ ଗୋଟିଏ ପୋଖରୀ ୨୦୨୩-୨୪ରେ ପୁନରୁଦ୍ଧାର ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ, ସେହି ପୋଖରୀଟି ବାସ୍ତବରେ ଅସ୍ତିତ୍ୱରେ ନାହିଁ।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍.ରେ ମାମଲା ନମ୍ବର ୨୩ (ତା. ୯.୧୧.୨୫) ଅନୁଯାୟୀ, ଦୁର୍ନୀତି ନିବାରଣ ଆଇନ (PC Amendment Act, 2018) ର ବିଭିନ୍ନ ଧାରାରେ କନିଷ୍ଠ ଯନ୍ତ୍ରୀ ବାଗ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଗିରଫ ପରେ ଆଜି ତାଙ୍କୁ ବଲାଙ୍ଗୀର ସ୍ପେଶାଲ୍ ଜଜ୍, ଭିଜିଲାନ୍ସ କୋର୍ଟକୁ ପଠାଯାଉଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

Share
Tags: Balangir