ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୩ ଜଣ ଆନ୍ତଃରାଜ୍ୟ ବେପାରୀ। ପୋଲିସ ସେମାନଙ୍କ ନିକଟରୁ ପ୍ରାୟ ୫ କିଲୋ ଗଞ୍ଜେଇ ସହ ନଗଦ ଟଙ୍କା ଓ ମୋବାଇଲ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ବଲାଙ୍ଗିର ନୂଆ ବସଷ୍ଟାଣ୍ଡ ପଛ ପାର୍ଶ୍ୱରେ ଥିବା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ବ୍ରିଜ ନିକଟରେ ଗଞ୍ଜେଇ କାରବାର ହେଉଥିବା ନେଇ ଟାଉନ ଥାନା ଅଧିକାରୀ ଅବନୀ ସାହୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହି ଖବର ଆଧାରରେ ପୋଲିସ ଟିମ ସେଠାରେ ଚଢ଼ାଉ କରି ଏକ ବାଇକ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ବାଇକ୍ରେ ଥିବା ବ୍ୟାଗରୁ ପ୍ରାୟ ୫ କିଲୋ ଗଞ୍ଜେଇ ବାହାରିଥିଲା।
ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି, ସେମାନେ ହେଲେ ରବି ପାଲ (୨୨) ବଂଶପୁରଓ୍ବା, ଉତ୍ତରପ୍ରଦେଶ, ଦିବେଶ ସାହୁ (୨୧) ଗିଦମାଲ, ବୌଦ୍ଧ ଜିଲା, ରମେଶ ରଣା (୩୦) ସାଗରପାଲି, ଦେଓଗାଁ (ବଲାଙ୍ଗୀର)। ସେମାନଙ୍କଠାରୁ ୫ କିଲୋଗ୍ରାମ ଗଞ୍ଜେଇ, ନଗଦ ୨୭,୦୦୦ ଟଙ୍କା, ୩ଟି ମୋବାଇଲ ଫୋନ ଏବଂ ଚାଲାଣରେ ବ୍ୟବହୃତ ଏକ ବାଇକ ଜବତ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରମେଶ ଓ ଦିବେଶ ବୌଦ୍ଧ ଏବଂ କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଉତ୍ତରପ୍ରଦେଶରୁ ଆସିଥିବା ରବି ପାଲଙ୍କୁ ବିକ୍ରି କରୁଥିଲେ। ରବି ଏହି ଗଞ୍ଜେଇକୁ ଟ୍ରେନ କିମ୍ବା ବସ ଯୋଗେ ଉତ୍ତରପ୍ରଦେଶକୁ ଚାଲାଣ କରିବାର ଯୋଜନା ରଖିଥିଲେ। ହେଲେ ଚାଲାଣ ପୂର୍ବରୁ ହିଁ ପୋଲିସ ସମସ୍ତଙ୍କୁ କାବୁ କରିନେଇଥିଲା।
ସୂଚନାଯୋଗ୍ୟ, ବଲାଙ୍ଗୀର ଦେଇ ଏବେ ଟ୍ରେନ, ଟ୍ରକ ଏବଂ ବାଇକ ଯୋଗେ ପ୍ରତିଦିନ ବହୁ ପରିମାଣର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏପରିକି କିଛି ସ୍ଥାନରେ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଏହି ବେପାର ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଗିରଫଦାରୀ ପରେ ସ୍ଥାନୀୟ ଅଞ୍ଚଳରେ ଚୋରା ବେପାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily