ବଲାଙ୍ଗୀର: ଝାଡ଼ା ଯିବା ବାହାନାରେ ଥାନା ଝରକା ଭାଙ୍ଗି ଅଭିଯୁକ୍ତ ଫେରାର

ବଲାଙ୍ଗୀର,୨୪ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ପୁଇଁନ୍ତଲା ଥାନାରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ମଣ୍ଟୁ ଦଲେଇ ନାମକ ଏହି ବ୍ୟକ୍ତି ପୂର୍ବରୁ ଏକ ଚୋରୀ ମାମଲାରେ ସମ୍ପୃକ୍ତ ଥିଲେ। ଗତ ରାତିରେ ପୁଇଁନ୍ତଲା ପୋଲିସ ପେଟ୍ରୋଲିଂ ସମୟରେ ଛୁଇଁବନ୍ଧ ରାସ୍ତାରୁ ତାଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିଲା। କିନ୍ତୁ, ରାତି ଅଧରେ ମଣ୍ଟୁ ଝାଡ଼ା ଯିବାର ବାହାନା କରି ଥାନାର ଝରକା ଗ୍ରିଲ ଭାଙ୍ଗି ଫେରାର ହୋଇଯାଇଛନ୍ତି।

ପୁଇଁନ୍ତଲା ଥାନା ଅଧିକାରୀ ଅନୀତା ପ୍ରଧାନ କହିଛନ୍ତି ଯେ, ଅଭିଯୁକ୍ତ ମଣ୍ଟୁ ଦଲେଇ ପୂର୍ବରୁ ବିଭିନ୍ନ ଥାନାରେ ଚୋରୀ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତାଙ୍କୁ ପୁଇଁନ୍ତଲା ଥାନାରେ ପୂର୍ବତନ ଏକ ଚୋରୀ ମାମଲାରେ ଅଟକ ରଖାଯାଇଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଦୁଇଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାର ତଦନ୍ତ ଚାଲୁ ରହିଛି, ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି।