ବଳଙ୍ଗା,୩।୮: ଦିଲ୍ଲୀ ଏମ୍ସରେ ମୃତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ଦାଦା ପ୍ରତିକ୍ରିୟା ରଖିଛନ୍ତି। ସେମାନେ ରାଜନୀତି ଠାରୁ ଦୂରେଇ ରଖିବାକୁ ଭାବବିହ୍ବଳ ହୋଇ ଅନୁରୋଧ କରିଛନ୍ତି। ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ ଭାଗ୍ୟରେ ନଥିଲା। ଝିଅର ମୃତ୍ୟୁ ପରେ ଆମେ ବହୁତ ଡିପ୍ରେଶନରେ ଅଛୁ, ରାଜନୀତି ନ କରାଯାଉ। ସରକାର ଯାହା କରିବା କଥା ସବୁ କରିଛନ୍ତି, ମୁଁ ସେଥିରେ ସନ୍ତୁଷ୍ଟ। ଚିକିତ୍ସାରେ ବି କୌଣସି ଅବହେଳା ହୋଇନି, ମୁଁ ଭାବୁଛି ଝିଅ ମୋ ଭାଗ୍ୟରେ ନଥିଲା’ସମସ୍ତେ ସମସ୍ତଙ୍କ ବାଟରେ ଠିକ ଅଛନ୍ତି, କାହାକୁ ଦୋଷ ଦେବାକୁ ଚାହୁଁନୁ ବୋଲି ଉଭୟ ବାପା ଓ ଦାଦା କହିଛନ୍ତି।
ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଏବଂ ସିଏମଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ। ପୋଲିସ ଟିମ ଅପରେଶନ ମୋଡ୍ରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।