ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍ ତାଙ୍କ ପରି“। ସେହିପରି ବିଦ୍ୟାଳୟ ହେଉ ଅବା କାର୍ଯ୍ୟାଳୟ, ଠିକ୍ ଏପ୍ରକାରର ସରଳ ଲୋକ ବାରି ହୋଇପଡ଼ନ୍ତି। ଦେଖାଯାଏ, ସ୍କୁଲରେ ପିଲାଟିଏ ଅନ୍ୟ ଗୋଟିଏ ସାଙ୍ଗଠାରୁ ମାଡ଼ଖାଇ ଘରକୁ ପଳେଇ ଆସିବ, ବରଂ ତା’ ବିରୋଧରେ କିଛି କହିବ ନାହିଁ କି ଶ୍ରେଣୀ ଶିକ୍ଷକଙ୍କୁ ଏ ବାବଦରେ ଗୁହାରି କରେ ନାହିଁ। କଲେଜ ପରୀକ୍ଷାରେ ସମସ୍ତେ କପି କରି ଉତ୍ତର ଲେଖି ଯାଉଥିବେ, ମାତ୍ର ଏମିତି କିଛି ସରଳତାସମ୍ପନ୍ନ କିଶୋର ଅଛନ୍ତି, ସେମାନେ କପି କରିବାକୁ ଭୟ କରିବେ। ତା’ ଛଡ଼ା ସରଳ ଲୋକମାନେ ଯଦିଓ ଭୟାଳୁ ହୋଇଥାନ୍ତି, ମାତ୍ର ସୁବିଧାବାଦୀ ହୋଇ ନ ଥା’ନ୍ତି। ଉପରୋକ୍ତ ଉଦାହରଣରୁ ଆମେ ଅନୁମାନ କରିପାରୁ ଯେ, କିଛି ନ କହି ନୀରବତା ରକ୍ଷା କଲେ, ସେ ଲୋକକୁ ସରଳ ବୋଲି କୁହାଯିବ। ନା, ତା’ ନୁହେଁ। ସରଳତା ସହିତ ଆଉ କିଛି ଉପାଦେୟ ତଥ୍ୟ ଅଛି। କେହି କେହି ଏମାନଙ୍କୁ ନିୟମ ଉପରେ ଆଧାରିତ ନୀତିବାନ ଲୋକ ଭାବେ ଅଭିହିତ କରିଥା’ନ୍ତି। ଆଉ ଏକ ପ୍ରକାର ସରଳ ଲୋକ ଅଛନ୍ତି, ଯେଉଁମାନେ ନିଜକୁ ନୂ୍ୟନ ଭାବିଥାନ୍ତି। ସେମାନେ ନିଜକୁ ଧୈର୍ଯ୍ୟହରା, ଭୀରୁ, ନିକମା ଇତ୍ୟାଦି ଭାବି ନେଇଥାନ୍ତି। ବେଳେ ବେଳେ ନିଜର ବୁଦ୍ଧି ଓ ବିବେକକୁ ଅସ୍ବୀକାର କରିବାକୁ ପଛାନ୍ତି ନାହିଁ। ଏପରି ନିଜକୁ ଭାବିବା ପ୍ରକୃତ ସରଳତା ନୁହେଁ, ବରଂ ଏହା ଏକ ଆମତ୍ ଅବମୂଲ୍ୟାୟନ।
ଏତାଦୃଶ କାର୍ଯ୍ୟକଳାପ ଆମମାନଙ୍କୁ ଉନ୍ନତିର ପଥରୁ ଦୂରେଇ ରଖେ। ଜୀବନକୁ ବ୍ୟର୍ଥ ଓ ଅର୍ଥହୀନ କରିଦିଏ। ଏହିପରି ସ୍ଥିତିରେ ପରିବାର, ସମାଜ ଓ ସାଙ୍ଗସାଥୀମାନେ ସରଳଲୋକଟିକୁ କହିଚାଲିବେ। ”ତୁଟା ବୋକା, ସରଳିଆଟା, ତୁ ସେ ଅମୁକ ଭଳିଆ ନୁହଁ, ତୋ ଦ୍ୱାରା କିଛି ହୋଇପାରିବ ନାହିଁ ଇତ୍ୟାଦି“। ଏହାଦ୍ୱାରା ସରଳଲୋକଟି ଆତ୍ମବିଶ୍ୱାସ ହରେଇ ବସେ ଏବଂ ଲୋକଟି ନିଜକୁ ଅଯୋଗ୍ୟ ବୋଲି ଭାବିନିଏ।
ସରଳତାର ଠିକ୍ ବିପରୀତରେ ଅଛି ଜଟିଳତା। କେତେଜଣ ଲୋକ ଅଛନ୍ତି, ଅତି କୁଟିଳ ମନୋବୃତ୍ତିର। ସେମାନେ ନିଜକୁ ବା ନିଜର ମନ୍ତବ୍ୟକୁ ଠିକ୍ ଭାବେ ପରିପ୍ରକାଶ କରିପାରନ୍ତି ନାହିଁ। ସବୁକିଛି ନକାରାମତ୍କ ଚିନ୍ତାଧାରା ରଖିଥାନ୍ତି। କାର୍ଯ୍ୟକ୍ଷେତ୍ରରେ ସବୁ ଓଲଟପାଲଟ୍ କରିଦେଇଥାନ୍ତି। ଏ ପ୍ରକାର ଲୋକ ଜଟିଳତାର ବଶବର୍ତ୍ତୀ ହୋଇଥାନ୍ତି। ଚରିତ୍ର ଓ ବ୍ୟକ୍ତିତ୍ୱର ସଂରକ୍ଷଣ ସେମାନଙ୍କ ପାଖରେ ଫିକା ପଡ଼ିଯାଏ ଏବଂ ଜଟିଳତାକୁ ମନରେ ବାନ୍ଧିରଖି ଅନ୍ୟର କ୍ଷତିକରିବାକୁ ପଛାନ୍ତି ନାହିଁ। ଜଟିଳ ପ୍ରକୃତିର ଲୋକ ଅନ୍ୟଜଣେ ଭଲ ମଣିଷକୁ ଖାଲରେ ପକାଇ ନିଜେ ଖସି ହେବାର ଉପାୟ ମନରେ ପାଞ୍ଚୁଥାଏ ଏବଂ ନିଜ ଦୋଷ ଦୁର୍ବଳତାକୁ ସବୁବେଳେ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ। ଏ ପ୍ରକାର ଲୋକଙ୍କ ସମ୍ବନ୍ଧରେ ସାଇ ପଡ଼ିଶାରେ କହିବୁଲନ୍ତି – ”ସେ ଲୋକଟା ପ୍ରଚଣ୍ଡ କୂଟନୀତିପ୍ରବଣ। ତା’ ପେଟରୁ ପଦେ ହେଲେ ସତ କଥା ବାହାରିବନି ?“ ଏ ସମାଜ ବା ଜାତିର କଥା ଚିନ୍ତାକଲେ, ଏପରି ହୃଦ୍ବୋଧ ହୁଏ ଯେ, ଜଟିଳତାସମ୍ପନ୍ନ ଲୋକମାନେ ଦେଶ ପାଇଁ କ୍ଷତିକାରକ। ଏମାନେ ବାହାରକୁ ଚାକଚକ୍ୟ ଥାନ୍ତି, ମାତ୍ର ଅନ୍ତରରେ ହୀନମନ୍ୟତା ଓ ଖଳ ପ୍ରବୃତ୍ତିର ହୋଇଥାନ୍ତି। ଜଟିଳ ଲୋକମାନେ ଖୋଲା ହୃଦୟରେ ହସି କଥା ହୁଅନ୍ତି ନାହିଁ।
ସରଳତା ଓ ଜଟିଳତା ଗୁଣ ଭିନ୍ନ ଭିନ୍ନ ଭାବେ ମଣିଷଠାରେ ଦେଖାଗଲେ, ତାହା ମଣିଷ ପ୍ରତି ହାନିକାରକ ହୋଇଥାଏ। ତେଣୁ ଆମମାନଙ୍କୁ ଦୈନନ୍ଦିନ ଜୀବନରେ ସରଳତା ଓ ଜଟିଳତାର ସନ୍ତୁଳନକୁ ରକ୍ଷା କରିବାକୁ ପଡ଼ିବ। ଆଜିର ଯୁଗରେ ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ଆତ୍ମସଂଯମତା ରକ୍ଷା କରିବା ପାଇଁ ଏ ମଣିଷକୁ ସରଳ ସଙ୍ଗେ ଜଟିଳ ହେବାକୁ ପଡ଼ିବ। ଏକ ପ୍ରବାଦ ଅଛି – ସରଳ ହୁଅ, ମାତ୍ର ବୋକାଭାବେ ସରଳ ହୁଅନାହିଁ। ବେଳେ ବେଳେ କର୍ମସ୍ଥଳୀ ବା ଯେକୌଣସି ଆନୁଷ୍ଠାନିକ କାର୍ଯ୍ୟରେ କିଛି ନକାରାତ୍ମକ ଲୋକ ଭୁଲ୍ ଲୋକର ସରଳତାର ଫାଇଦା ଉଠାଇ ନିଅନ୍ତି। ଏପରି କ୍ଷେତ୍ରରେ ଭଲ ଲୋକ ଜଟିଳତାକୁ ଆପଣେଇବାର ଆବଶ୍ୟକତା ଅଛି। ଠିକ୍ ସେହିପରି ମଣିଷକୁ ସରଳ ହେବାର ଆବଶ୍ୟକତା ରହିଛି। ଦୈନନ୍ଦିନ ଜୀବନରେ ସରଳ ବ୍ୟବହାର ପ୍ରଦର୍ଶନ ଗ୍ରହଣୀୟ। ଆମେ ଜାତିର ପିତା ମହାମତ୍ା ଗାନ୍ଧୀଙ୍କଠାରୁ ଶିକ୍ଷାଲାଭ କରିଛେ। ‘ସିମ୍ପୁଲ ଲିଭିଂ, ହାଇ ଥିଙ୍କିଙ୍ଗ୍’। ସରଳ ଭାବନାରେ ଉଚ୍ଚ ବିଚାର ଶକ୍ତିଥାଏ। ସରଳ ଲୋକ ମନରେ ଉଚ୍ଚ ଆକାଂକ୍ଷା ଓ ଆଶା ଜନ୍ମିତ ହେବାର ପରିଲକ୍ଷିତ ହୁଏ। ସରଳ ମନୋଭାବର ଲୋକ ବିଶ୍ୱାସୀ ଏବଂ ମାନସିକ ସ୍ତରରେ କର୍ମଠ ହୋଇଥାନ୍ତି।
ସଡିଏ, କଟକ
ମୋ : ୭୦୦୮୬୫୦୬୯୩