ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର ସୁପରିଚିତ ବଡିବିଲଡର ବଲାଲ ଖାନଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସମ୍ମାନିତ କରିବା ସହିତ ମେଡାଲ ଏବଂ ପ୍ରଂଶସା ପତ୍ର ପ୍ରଦାନ କରିଛନ୍ତି। କଟକ ସ୍ଥିତ ଡିଜିପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା ପ୍ରଦାନ କରାଯାଇଛି। ୨୦୨୪- ୨୫ ବର୍ଷରେ ଲଖନ ଠାରେ ଆୟୋଜିତ ଅଲ ଇଣ୍ଡିଆ ଲେବଲ ପୋଲିସ ପ୍ରତିଯୋଗିତା ରେ ଛତ୍ରପୁରର ବଡିବିଲଡର ବଲାଲ ଖାନ ବେଶ ସଫଳତା ହାସଲ କରିଥିଲେ। ଏହାକୁ ଆଧାର କରି ତାଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସମ୍ବର୍ଦ୍ଧନା ପାଇବା ପରେ ସେ ଗଞ୍ଜାମ ଏସପିଙ୍କ ଠାରୁ ଆରମ୍ଭ କରି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ କ୍ରୀଡ଼ାବିତ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ପୂର୍ବରୁ ସେ ବହୁବାର ବିଭିନ୍ନ ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ପୁରସ୍କୃତ ହେବା ସହିତ, ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ଦେଖାଇ ବେଶ ସଫଳତା ହାସଲ କରି ବିଭିନ୍ନ ମେଡାଲ ଓ ପଦକ ପାଇଛନ୍ତି।