ଭୁବନେଶ୍ୱର,୩୦।୩: ଭାଜପା ଏମ୍ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ କେନ୍ଦ୍ରାପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ୍ସରେ କହିଛନ୍ତି, ବିଜୁ ଅଙ୍କଲ ବିରାଟ ବ୍ୟକ୍ତିତ୍ୱ ଥିଲେ। ଆଧୁନିକ ଭାରତର ସର୍ବଶ୍ରେଷ୍ଠ ଦେଶପ୍ରେମୀଙ୍କ ମଧ୍ୟରେ ଅନ୍ୟତମ। ଭାରତକୁ ମୁକ୍ତ କରିବା ଏବଂ ଓଡ଼ିଶାର ଉନ୍ନତି ପାଇଁ ତାଙ୍କ ଜୀବନ ଉତ୍ସର୍ଗ। ପାଇଲଟ, ଉଦ୍ୟୋଗପତି, ଅନ୍ତର୍ଜାତୀୟ ସମସ୍ୟା ସମାଧାନରେ ପାରଙ୍ଗମ ଥିଲେ। ତାଙ୍କର ବୀରତ୍ୱପୂର୍ଣ୍ଣ ମିଶନ, କୂଟନୈତିକ ପଦକ୍ଷେପ ଗଣତନ୍ତ୍ରକୁ ସମୃଦ୍ଧ କରିଛି। ତାଙ୍କ ଦେଶପ୍ରେମ ଉପରେ ଆପତ୍ତି ଉଠାଇବା ହାସ୍ୟାସ୍ପଦ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲୋକ ସଭା ସଦସ୍ୟ ତଥା ସଂସଦୀୟ ସ୍ଥାୟୀ କମିଟି(ଆଇଟି-ଯୋଗାଯୋଗ) ଅଧ୍ୟକ୍ଷ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ସିଆଇଏ ଏଜେଣ୍ଟ ଥିଲେ ବୋଲି କହିଥିଲେ। ଦୁବେଙ୍କ ଏପରି ଅସମ୍ମାନଜନକ ବ୍ୟବହାରକୁ ନେଇ ରାଜ୍ୟ ସଭା ଏମ୍ପି ଡ. ସସ୍ମିତ ପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସସ୍ମିତ ଏହି ଘଟଣାକୁ ନେଇ ଶନିବାର ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ପତ୍ର ଲେଖି ନିଶିକାନ୍ତଙ୍କ ଅଧ୍ୟକ୍ଷତାରେ ଥିବା ଆଇଟି-ଯୋଗାଯୋଗ କମିଟିରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଅବଗତ କରାଇଛନ୍ତି।
ସସ୍ମିତ ଚିଠିରେ ଉଲ୍ଲେଖ କରିଛନ୍ତି, ସର୍ବସାଧାରଣରେ ଦୁବେ ଯେପରି ଭାବେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବିଷୟରେ ଅସମ୍ମାନଜନକ ମତାମତ ଦେଇଛନ୍ତି ତାହା ଅସହନୀୟ। ନୈତିକତା ଅନୁଯାୟୀ, ଏପରି ବ୍ୟକ୍ତିଙ୍କ ଅଧୀନରେ ଆଉ ରହିବାକୁ ଚାହୁଁନାହିଁ। ଏହି ପରିସ୍ଥିତିରେ ମୋର ଇସ୍ତଫାପତ୍ରକୁ ଗ୍ରହଣ କରି ଲୋକ ସଭା ବାଚସ୍ପତିଙ୍କ ନିକଟକୁ ବିଧିବଦ୍ଧ ଭାବେ ପଠାଇବାକୁ ସେ ଅନୁରୋଧ କରିଛନ୍ତି।