ହଠାତ ଅଧାରୁ ଅଟକାଗଲା ମ୍ୟାଚ୍‌, ମଇଦାନରୁ ବାହାରକୁ ଗଲେ ଖେଳାଳି, ଦର୍ଶକ ବି ଲୁଚିଲେ; ଗାବାରେ କ’ଣ ଏମିତି ହେଲା?

ବ୍ରିସବେନ, ୮।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରଜ୍‌ର ଅନ୍ତିମ ମ୍ୟାଚ୍‌ରେ ଏକ ଅଦ୍ଭୁତ ଘଟଣା ଘଟିଛି। ଅଧାରୁ ହଠାତ ମ୍ୟାଚ୍‌କୁ ଅଟକାଇ ଦିଆଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ମ୍ୟାଚ ବ୍ରିସବେନ୍‌ର ପ୍ରସିଦ୍ଧ ଗାବା ଷ୍ଟାଡିୟମ୍‌ରେ ଖେଳାଯାଉଥିଲା। କେବଳ ୪.୫ ଓଭର ଖେଳ ପରେ ଅମ୍ପାୟାରମାନେ ମ୍ୟାଚ ଅଟକାଇଦେଇଥିଲେ। ଗ୍ରାଉଣ୍ଡ ଷ୍ଟାଫ ସମସ୍ତ ଖେଳାଳିଙ୍କୁ ଡଗଆଉଟ୍‌ ଛାଡ଼ି ଡ୍ରେସିଂ ରୁମ୍‌କୁ ଯିବାକୁ କହିଥିଲେ, ଯାହା ସମସ୍ତଙ୍କ ଟେନସନ ବଢ଼ାଇଦେଇଥିଲା।
କାରଣ ବିଷୟରେ କହିଲେ ଖରାପ ପାଗ ଯୋଗୁ ମ୍ୟାଚ୍‌କୁ ହଠାତ ଅଟକାଇ ଦିଆଯାଇଥିଲା। ଅମ୍ପାୟାର ଶନ୍‌ କ୍ରେଗ ଚାରିଆଡ଼େ ଦୃଷ୍ଟି ଦେଇ ତୁରନ୍ତ ଖେଳାଳିଙ୍କୁ ପ୍ୟାଭିଲିୟନ୍‌କୁୁ ଫେରିବାକୁ କହିଦେଇଥିଲେ। ଏହାର ସବୁଠାରୁ ବଡ଼ କାରଣ ଥିଲା ବ୍ୟାକ୍‌ଗ୍ରାଉଣ୍ଡରେ ବିଜୁଳି ଚମକ ଦେଖାଯାଇଥିବା ଏବଂ ପାଗ ବିଜ୍ଞାନୀଙ୍କ ରିପୋର୍ଟ ସମସ୍ତଙ୍କୁ ସତର୍କ କରିଦେଇଥିଲା। ତା’ପରେ ମଇଦାନର କର୍ମଚାରୀମାନେ ଦୌଡ଼ି କଭର ଲଗାଇଥିଲେ। ପାଣିପାଗ ବିଭାଗର ଗମ୍ଭୀର ଚେତାବନୀ ପରେ ମ୍ୟାଚ ମଝିରେ ଅଟକି ଯାଇଥିଲା।
ଖେଳାଳିଙ୍କ ସହିତ ଷ୍ଟାଡିୟମ୍‌ରେ ଉପସ୍ଥିତ ଫ୍ୟାନ୍ସଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା ଏବଂ ଷ୍ଟାଡିୟମ୍‌ ନିମ୍ନ ଭାଗକୁ ତୁରନ୍ତ ଖାଲି କରାଯାଇଥିଲା। ଫ୍ୟାନ୍ସମାନେ ଦ୍ରୁତ ଗତିରେ ଉପର ଛାତ ଆଡ଼କୁ ଦୌଡ଼ିଯାଇଥିଲେ। ବ୍ରିସବେନ୍‌ରେ ପ୍ରାୟତଃ ପାଗ ଏପରି ବଦଳିଯାଏ। ଅଷ୍ଟ୍ରେଲିଆରେ ଏପରି ଅନେକ ଥର ଦେଖାଯାଇଛି ଯେ ଖରାପ ପାଗକୁ ଦେଖି ଖେଳକୁ ପୂର୍ବରୁ ଅଟକାଇ ଦିଆଯାଏ, ଯାହା ଦ୍ୱାରା ଖେଳାଳି ଏବଂ ଫ୍ୟାନ୍ସଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ।
ମ୍ୟାଚ ଅଟକିବା ପୂର୍ବରୁ ଭାରତ ପକ୍ଷରୁ ଧମାକାଦାର ଆରମ୍ଭ ଦେଖିବାକୁ ମିଳିଥିଲା। ଶୁଭମନ ଗିଲ ଏବଂ ଅଭିଷେକ ଶର୍ମା କେବଳ ୪.୫ ଓଭରରେ ୫୨ ରନ ଯୋଡ଼ିଥିଲେ। ଗିଲ ୧୬ ବଲ୍‌ରେ ୨୯ ରନ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଅଭିଷେକ ମଧ୍ୟ ୧୩ ବଲ୍‌ରେ ୨୩ ରନ କରିିଥିଲେ। ଏହି ସମୟରେ ଅଭିଷେକଙ୍କୁ ୨ଟି ଜୀବନଦାନ ମିଳିଥିଲା।
ଦୁଇ ଟିମ୍‌ର ପ୍ଲେଇଂ ୧୧:
ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧: ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (କ୍ୟାପ୍ଟେନ), ରିଙ୍କୁ ସିଂହ, ଜିତେଶ ଶର୍ମା (ଉଇକେଟ୍କିପର୍‌), ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ
ଅଷ୍ଟ୍ରେଲିଆର ପ୍ଲେଇଙ୍ଗ ୧୧: ମ୍ୟାଥ୍ୟୁ ଶର୍ଟ, ମିଚେଲ ମାର୍ଶ (କ୍ୟାପ୍ଟେନ), ଜଶ ଇଂଗ୍ଲିସ, ଟିମ ଡେଭିଡ, ଜଶ ଫିଲିପ୍ସ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ, ଜେଭିଅର ବାର୍ଟଲେଟ, ବେନ ଡୱାରଶୁଇସ, ନାଥନ ଏଲିସ, ଆଡମ ଜମ୍ପା