ପଲସାଗୋରା,୨୫।୭(ଅଶ୍ୱିନୀ କୁମାର ନନ୍ଦ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତର ତବଡ଼ା-ବିରାମୁଣ୍ଡା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଲୋକଙ୍କ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଥିବା ବେଳେ ବିରାମୁଣ୍ଡା ଗ୍ରାମବାସୀଙ୍କ ପାଇଁ ତାହା ସାତସପନ ହୋଇଛି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ସ୍ବାଧୀନତାର ୭୯ ବର୍ଷ ପରେ ଏଠାକାର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଅସରାଏ ବର୍ଷା ହେଲେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତା ଅବସ୍ଥା ଏଭଳି ହୋଇଛି ଯେ ଯିବାଆସିବା କରିବା କଷ୍ଟକର ହୋଇପଡିଛି। ବିରାମୁଣ୍ଡା ଗ୍ରାମର ତୁଲ ନାୟକଙ୍କ ମୃତଦେହ ବୁଧବାର ଗାଁକୁ ଆସୁଥିବା ବେଳେ ଆମ୍ବୁଲାନ୍ସଟି ଉକ୍ତ ରାସ୍ତାରେ କାଦୁଅରେ ଫସିଯାଇଥିଲା। ଫଳରେ ଆମ୍ବୁଲାନ୍ସ ବିରାମୁଣ୍ଡା ଗାଁକୁ ପହଞ୍ଚି ପାରି ନ ଥିଲା। ଲୋକେ ମୃତଦେହକୁ ଖଟିଆରେ ବୋହି ନେବାକୁ ବାଧ୍ୟ ହୋଇଥିଲେ। ରାତିସାରା ଆମ୍ବୁଲାନ୍ସ ରାସ୍ତାରେ ପଡିରହିଥିଲା। ଗୁରୁବାର ସକାଳୁ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ ବାହାରକୁ ଅଣାଯାଇଥିଲା। ତୁରନ୍ତ ଉକ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।