ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଭଗୀରଥପୁରାରେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ସୂଚନା ଅନୁଯାୟୀ ମୃତ୍ୟୁସଂଖ୍ୟା ୧୦ ବୋଲି ଇନ୍ଦୋର ମେୟର ପୁଷ୍ୟାମିତ୍ର ଭାର୍ଗବ କହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ସହ ଇନ୍ଦୋର ଅତିରିକ୍ତ କମିଶନର ଏବଂ ଡ୍ୟୁଟିରେ ଥିବା ଭାରପ୍ରାପ୍ତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭଗୀରଥପୁରା ଫାଣ୍ଡି ନିକଟରେ ଥିବା ପାନୀୟ ଜଳ ଯୋଗାଣର ମୁଖ୍ୟ ପାଇପ୍ ଲାଇନ୍ ଏପରି ସ୍ଥାନରେ ଛିଦ୍ର ହୋଇଛି, ଯେଉଁଠି ଏକ ପାଇଖାନା ନିର୍ମାଣ ହୋଇଛି। ଏହି ଲିକ୍ ଯୋଗୁ ପାନୀୟ ଜଳ ଦୂଷିତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଦୂଷିତ ପାଣି ପିଇ ୬ ମାସର ଶିଶୁ ଅସୁସ୍ଥ ହେବା ସହ ପ୍ରାଣ ହରାଇଛି। ସହରର ବିଭିନ୍ନ ହସ୍ପିଟାଲରେ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି। ଦୂଷିତ ଜଳ ଯୋଗୁ ଡାଇରିଆ ବ୍ୟାପିଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଇନ୍ଦୋର ମେଡିକାଲ କଲେଜ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ, ଭଗୀରଥପୁରାରୁ ସଂଗୃହୀତ ପାନୀୟ ଜଳ ଦୂଷିତ ହୋଇଛି ଓ ଏଥିରେ ବ୍ୟାକ୍ଟେରିଆ ରହିଥିବା ଇନ୍ଦୋର ମୁଖ୍ୟ ମେଡିକାଲ ଅଫିସର ଡ. ମାଧବ ପ୍ରସାଦ ହାସନି କହିଛନ୍ତି।
ଦୂଷିତ ପାଣି ପିଇ ୧୦ ଜଣଙ୍କ ଜୀବନ ଯିବା ଘଟଣାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳଜୀବନ ମିଶନର ପ୍ରଚାର ଚଳାଇଥିବାବେଳେ ଦୂଷିତ ଜଳଜନିତ ମୃତ୍ୟୁକୁ ନେଇ ନୀରବ ରହିଛନ୍ତି। ମୋଦି ସରକାର ଏବଂ ଭାଜପା ଦେଶବାସୀଙ୍କୁ ସ୍ବଚ୍ଛ ଜଳ କିମ୍ବା ସ୍ବଚ୍ଛ ବାୟୁ ଯୋଗାଇବାରେ ବିଫଳ ହୋଇଥିବା କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ବେକ୍ଷଣରେ ଇନ୍ଦୋର କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ଦେଶର ସବୁଠୁ ସ୍ବଚ୍ଛ ସହରର ମାନ୍ୟତା ପାଇଆସିଥିବାବେଳେ ସେଠାରେ ଦୂଷିତ ପାଣି ପିଇ ଲୋକଙ୍କ ମୃତ୍ୟୁ ଘଟିବା ଲଜ୍ଜାଜନକ। ଭାଜପାର ଅକ୍ଷମତା ଯୋଗୁ ଲୋକେ ବିଶୁଦ୍ଧ ଜଳରୁ ବଞ୍ଚତ୍ତ ହୋଇଥିବା ଖାର୍ଗେ Xରେ ଲେଖିଛନ୍ତି।