ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ରାଜ୍ୟର ଭାଜପା ନେତୃତ୍ୱାଧିନ ସରକାର ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ହାତକୁ ନେଇଛନ୍ତି। ଏଥିପାଇଁ ଏହି ସରକାର ଜନତାଙ୍କର ଆସ୍ଥାଭାଜନ ହୋଇପାରିଛି। ପଛୁଆବର୍ଗ ଲୋକଙ୍କ ପାଇଁ ସଂରକ୍ଷଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସାମାଜିକ ଓ ଆର୍ଥିକ ଭାବେ ପଛୁଆବର୍ଗର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଶିକ୍ଷାକ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଅପରପକ୍ଷେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଭିତ୍ତିକ ଜନଗଣନା ପଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପଛୁଆବର୍ଗର ଲୋକେ ବିଶେଷ ଉପକୃତ ହେବେ ବୋଲି ସୋମବାର ସନ୍ଧ୍ୟାରେ ବରଗଡ଼ ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ଓବିସି ମୋର୍ଚ୍ଚାର ବରଗଡ଼ ଜିଲା ପ୍ରଭାରୀ ତଥା ରାଜ୍ୟ ସଂଯୋଜକ ଡ. ଅରୁଣ କୁମାର ନାୟକ କହିଛନ୍ତି।
ସେ ଆହୁରି କହିଥିଲେ, ପୂର୍ବ ରାଜ୍ୟ ସରକାର ଥିବାବେଳେ ଭାଜପା ଓବିସି ମୋର୍ଚ୍ଚା ବାରମ୍ବାର ସଂରକ୍ଷଣ ଦାବି ଉଠାଇ ଆସିଥିଲା। ମାତ୍ର ସେତେବେଳର ରାଜ୍ୟ ସରକାର ତାକୁ ଆଦୌ ଗୁରୁତ୍ୱ ଦେଉ ନ ଥିଲେ। ମାତ୍ର ଭାଜପା ସରକାର ଆସିବା ପରେ ଶିକ୍ଷାକ୍ଷେତ୍ରରେ ଓବିସି ବର୍ଗଙ୍କ ପାଇଁ ବର୍ତ୍ତମାନ ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରିଛନ୍ତି। ଆଗାମୀ ଦିନରେ ଏହି ହାର ଆହୁରି ବୃଦ୍ଧି ପାଇବ ବୋଲି ଆଶା ରହିଛି ବୋଲି ସେ କହିଥିଲେ। ସେହିପରି ଭାଜପା ଓବିସି ମୋର୍ଚ୍ଚାର ଜିଲା ସଭାପତି ପରେଶ ବିଶି ଓବିସି ବର୍ଗଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ନିଶ୍ଚୟ ଫଳପ୍ରଦ ହୋଇଛି କହିବା ସହିତ ଏଥିପାଇଁ ଓବିସି ମୋର୍ଚ୍ଚା ପକ୍ଷରୁ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଭାଜପା ଜାତୀୟ ପରିଷଦ ସଦସ୍ୟ ସୌରୀଚରଣ ବାରିକ ପଛୁଆବର୍ଗଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ସରକାର ନେଉଥିବା ବିହିତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଅନ୍ୟ ରାଜ୍ୟରେ ଓବିସିଙ୍କ ସଂରକ୍ଷଣ ହାର ଅଧିକ ରହିଥିବା ଯୋଗୁ ଓଡ଼ିଶାରେ ମଧ୍ୟ ଏହି ହାର ଆଗକୁ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ସେ ଆଶାବାଦୀ ଥିବା କହିଥିଲେ। ଭାଜପା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ମୁକ୍ତା ସାହୁ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ। ଭାଜପା ଓବିସି ମୋର୍ଚ୍ଚାର ଜିଲା ସାଧାରଣ ସମ୍ପାଦକ ବୀରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।