ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା ଶିଶୁଟି ଚୋରି ହୋଇଯାଇଥିବା ନେଇ ପୋଲିସ ନିକଟରେ ଆକୁଳ ନିବେଦନ କରୁଥିଲେ, ସେ ନିଜେ ହିଁ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡ଼ିଛି। ପୋଲିସ ଶିଶୁଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପିତା ଓ ତାଙ୍କ ପ୍ରଥମ ସ୍ତ୍ରୀକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଚେନ୍ନାଇରେ ନିଜ ଶାଳୀଙ୍କ ସହ ରହୁଥିଲେ। ସେଠାରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି କାରଣରୁ ପ୍ରଶାନ୍ତ ଗାଁରେ ଥିବା ନିଜ ପ୍ରଥମ ସ୍ତ୍ରୀଙ୍କ ନିକଟକୁ ଆସୁ ନ ଥିଲେ କି ଭରଣପୋଷଣ ପାଇଁ ଟଙ୍କା ଦେଉନଥିଲେ। ଶେଷରେ ଶାଳୀଙ୍କ ସନ୍ତାନକୁ ନିଜ ଜୀବନରୁ ହଟାଇବା ପାଇଁ ପ୍ରଶାନ୍ତ ଏକ ସୁକଳ୍ପିତ ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଗତ ୭ ତାରିଖ ରାତିରେ ସେ ଚେନ୍ନାଇରୁ ଆସି ନିରାକାରପୁର ଷ୍ଟେଶନର ୩ ନଂ ପ୍ଲାଟଫର୍ମରେ ଶାଳୀ ଓ ଶିଶୁଟି ସହ ବିଶ୍ରାମ ନେଇଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳେ ଶାଳି ଶୋଇପଡିଥିବା ସୁଯୋଗ ନେଇ ସେ ନିଜ ପ୍ରଥମ ସ୍ତ୍ରୀକୁ ରଣପୁରରୁ ଡକାଇ ଶିଶୁଟିକୁ ତାଙ୍କ ହାତକୁ ଟେକି ଦେଇଥିଲେ। ଏହାପରେ ପିଲାଟି ଚୋରି ହୋଇଯାଇଥିବା ନେଇ ମିଛ କାନ୍ଦବୋବାଳି କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ନିରାକାରପୁର ରେଳବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ପ୍ରଶାନ୍ତଙ୍କ କଥାରେ ଅସଙ୍ଗତି ଦେଖି ପୋଲିସ ତାଙ୍କୁ ଜେରା କରିଥିଲା। ଶେଷରେ ପୋଲିସ ଆଗରେ ପ୍ରଶାନ୍ତ ନିଜର ଦୋଷ ସ୍ବୀକାର କରିଥିଲେ। ରେଳବାଇ ପୋଲିସ ଏଏସଆଇ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ରଣପୁରର କଳାମାଟିଆ ଗ୍ରାମରେ ଚଢ଼ାଉ କରି ଶିଶୁଟିକୁ ଉଦ୍ଧାର କରିବା ସହ ପ୍ରଶାନ୍ତଙ୍କ ପ୍ରଥମ ସ୍ତ୍ରୀକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।