ଟିଭିରେ ରାୟ ଦେବା ସହଜ, ପରାମର୍ଶ ଦେବାକୁ ଚାହୁଁଥିଲେ ସିଧା ଫୋନ୍‌ କରନ୍ତୁ: ବାବର ଆଜମ

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅଧିନାୟକ ବାବର ଆଜମ ପ୍ରଶ୍ନ ଘେରରେ। ଆଫଗାନିସ୍ତାନ ବିପକ୍ଷରେ ୮ ଉଇକେଟରେ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୧ ରନ୍‌ର ଟାର୍ଗେଟ ହାସଲ କରି ନ ପାରିବା ପରେ ତାଙ୍କୁ ସମାଲୋଚନା କରାଯାଉଛି। ତେବେ ଏସବୁର କଡ଼ା ଜବାବ ଦେଇଛନ୍ତି ସେ।

ମୋଇନ ଖାନ୍‌ ଏବଂ ଶୋଏବ ମଲିକଙ୍କ ଭଳି ସମାଲୋଚକଙ୍କୁ ଜବାବ ଦେଇ ବାବର କହିଛନ୍ତି, ଟେଲିଭିଜନରେ ରାୟ ଦେବା ସହଜ। ଯଦି କେହି ପରାମର୍ଶ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସ୍ବାଗତ କରୁଛି। ସେ ମୋତେ ସିଧାସଳଖ ଫୋନ କରନ୍ତୁ। ମୋ ନମ୍ବର ତାଙ୍କ ପାଖରେ ରହିଛି। ମୁଁ ଗତ ୩ ବର୍ଷ ଧରି ଦଳର ଅଧିନାୟକ ପଦରେ ରହିଛି। ଅଧିନାୟକ ଦାୟିତ୍ୱ ଲାଗି ବିଶ୍ୱକପ୍‌ରେ ମୋ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ମୁଁ କେବେହେଲେ ସେଭଳି ଅନୁଭବ କରିନାହିଁ। କଥା କେବଳ ଏତିକି ଯେ ଯେଉଁଭଳି ପ୍ରଦର୍ଶନ ବିଶ୍ୱକପ୍‌ରେ କରିବାର ଥିଲା ତାହା କରିପାରୁନାହିଁ। ଏଥିଲାଗି ଲୋକେ ମୁଁ ଚାପରେ ରହିଛି ବୋଲି କହୁଛନ୍ତି। ମୁଁ ସର୍ବଦା ନିଜ ଲାଗି ରନ୍‌ ଏବଂ ଦଳକୁ ବିଜେତା କିଭଳି କରିବି ସେଥିନେଇ ଭାବି ଆସିଛି ବୋଲି ସେ କହିଛନ୍ତି।

ସେହିଭଳି ଅଧିନାୟକ ପଦ ଛାଡ଼ିବା ଏବଂ ଖେଳାଳି ଚୟନ ପ୍ରଶ୍ନର ଜବାବରେ ବାବର କହିଛନ୍ତି, ମୁଁ ଜାଣିନାହିଁ ଆପଣ କେଉଁ ନିଷ୍ପତ୍ତି ବିଷୟରେ କହୁଛନ୍ତି। ଖେଳାଳିଙ୍କ ଚୟନ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି କୋଚ୍‌ ଏବଂ ଅଧିନାୟକ ମିଶି କରିଛନ୍ତି। ପରିସ୍ଥିତି ଅନୁସାରେ ନିଜର ସର୍ବଶ୍ରେଷ୍ଠ ଟିମ୍‌ ସହ ମଇଦାନକୁ ଓହ୍ଲାଇଛୁ। କିଛି ମ୍ୟାଚ୍‌ରେ ସଫଳତା ମିଳିଛି, କିଛି ମ୍ୟାଚ୍‌ରେ ତାହା ହୋଇନାହିଁ।

କହିରଖୁଛୁ, ମୋଇନ କହିଥିଲେ ଯେ ବିରାଟ କୋହଲିଙ୍କଠାରୁ ବାବର ଶିଖିବା ଉଚିତ। ସେ ଅଧିନାୟକ ପଦ ଛାଡ଼ିବା ପରେ ନିଜର ପୂରା ଧ୍ୟାନ ବ୍ୟାଟିଂ ଉପରେ ଦେଉଛନ୍ତି। ସେହିଭଳି ମଲିକ କହିଥିଲେ ଯେ ବାବର ବ୍ୟାଟିଂର ବାଦଶାହା, ହେଲେ ଅଧିନାୟକର ନୁହେଁ।