Categories: ମେଟ୍ରୋ

ବିଟେକ୍‌ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୮।୯ (ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରେଳବିହାରରେ ଜଣେ ବିଟେକ୍‌ ଛାତ୍ରୀ ଫ୍ୟାନ୍‌ରେ ଓଢ଼ଣି ଦ୍ୱାରା ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ଆର.ଏନ୍‌.ନିୟତି ନାୟକ(୨୪)। ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ.୬୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତା ନିୟତିଙ୍କ ବାପା ନାରାୟଣ ଚନ୍ଦ୍ର ନାୟକ ପୂର୍ବତଟ ରେଳପଥରେ ଇଞ୍ଜିନିୟର ଅଛନ୍ତି। ରେଳବିହାରସ୍ଥିତ ସରକାରୀ କ୍ୱାର୍ଟର୍ସରେ ସେ ପରିବାର ସହ ରହୁଛନ୍ତି। ତାଙ୍କର ୨ଝିଅଙ୍କ ମଧ୍ୟରୁ ନିୟତି ବଡ଼ ହୋଇଥିବାବେଳେ ସ୍ଥାନୀୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ୍‌ ପଢୁଥିଲେ। ତେବେ କିଛି ମାସ ହେଲା ବାପା ନାରାୟଣ କିଡ୍‌ନୀ ଓ ହାର୍ଟ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ସଦସ୍ୟମାନେ ଭାଙ୍ଗି ପଡ଼ିଥିଲେ। ୨ ମାସ ତଳେ ସାନ ଝିଅ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିୟତି ମଧ୍ୟ ବାପାଙ୍କ ରୋଗକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ବୁଧବାର ନାରାୟଣଙ୍କୁ ନେଇ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ଘରେ ନିୟତି ଏକୁଟିଆ ଥିଲେ। ସାରେ ପରିବାର ଲୋକ ଘରକୁ ଫେରିବା ପରେ ନିୟତିଙ୍କ ରୁମ୍‌ ଭିତରପଟୁ ବନ୍ଦ ଥିବା ଦେଖି ତାଙ୍କୁ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ପରେ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗିବା ପରେ ନିୟତି ଫ୍ୟାନ୍‌ରେ ଓଢ଼ଣି ଦ୍ୱାରା ଝୁଲି ପଡ଼ିଥିବା ଦେଖିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ଥିଲା। ଘଟଣା ସଂକ୍ରାନ୍ତରେ ଥାନାଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ କହିଛନ୍ତି, ନାରାୟଣଙ୍କ ରୋଗ ଯୋଗୁ ପରିବାର ଲୋକ ମାନସିକ ଚାପରେ ଥିଲେ। ଏହି କାରଣରୁ ନିୟତି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯିବା ସହ ଅନ୍ୟ ଦିଗକୁ ନେଇ ତଦନ୍ତ ହେଉଥିବା ସେ କହିଛନ୍ତି।