ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଶୁକ୍ରବାର ତାହା ରାଜ୍ୟରେ ଲାଗୁ ହୋଇଛି।
ଏହିଭଳି ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ମଧ୍ୟ ବିଭିନ୍ନ ସ୍ଥାନରେ ତାହାର ଶୁଭାରମ୍ଭ ହୋଇଥିଲା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର  ସିଧା ପ୍ରସାରଣ ନିମନ୍ତେ ଭଞ୍ଜନଗର ପଞ୍ଚାୟତ ସମିତିର   କୁଲାଡ଼ , ମୁଜାଗଡ , ଡୁମାକୁମ୍ପା ଓ ବହାଡାପଦରଠାରେ ବ୍ୟବସ୍ଥା ହୋଇଥିଲା। ଏଥିସହ ଜଗନ୍ନାଥ ପ୍ରସାଦ ବ୍ଲକର  ତାରସିଂ, ବରଙ୍ଗା, ଛାମୁଣ୍ଡା, ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ସ୍ଥାନରେ ହୋଇଥିବା କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।
ମାତ୍ର ପୁରୀଠାରେ ଚାଲିଥିବା ବିଧାୟକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାର ଥିବା ଯୋଗୁ ବିଧାୟକ ତାରସିଂ ଏବଂ କୁଲାଡ ଠାରେ କିଛି ସମୟ ରହି ପୁରୀ ଅଭିମୁଖେ ଚାଲି ଯାଇଥିଲେ। ଏହି ଅବସରରେ ବିଧାୟକ ନାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ, ଯୋଗାଇ ଦିଆଯାଉଥିବା ଏହି କାର୍ଡ ମାଧ୍ୟମରେ ସାରା ଭାରତ ବର୍ଷରେ ୨୯୦୦୦ରୁ ଊର୍ଦ୍ଧ୍ୱ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଉନ୍ନତମାନର ସ୍ବାସ୍ଥ୍ୟସେବା ଲୋକେ ମାଗଣାରେ ପାଇପାରିବେ । ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ,ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଏବଂ ଗଞ୍ଜାମ ଜିଲାରେ ୨୮.୯୨ ଲକ୍ଷ୍ୟ ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟା ମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ମାଗଣା ଚିକିତ୍ସା ସୁବିଧା ମିଳିପାରିବ ବୋଲି ବିଧାୟକ ନାୟକ କହିଥିଲେ। ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକୁ ବରିଷ୍ଠ ନାଗରିକମାନଙ୍କୁ ( ୭୦ ବର୍ଷ କିମା ତା’ଠାରୁ ଅଧିକ ବୟସର ବ୍ୟକ୍ତି ଗଣ )  ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ ।  ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ମିଳିବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିବା ବେଳେ ବର୍ତ୍ତମାନ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ। ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧିାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ହିତାଧିକାରୀମାନଙ୍କ ପାଇଁ ଇ-କେୱାଇସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ ।
ଏହା ମାଧ୍ୟମରେ ଜନସାଧାରଣ ବିଶେଷତଃ ଆର୍ଥିକ ଦୁର୍ବଳ ଏବଂ ସମ୍ବେଦନଶୀଳ ବର୍ଗର ଲୋକମାନଙ୍କୁ ଉଭୟ ସରକାରୀ ଓ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ଉଚ୍ଚମାନର ଦେୟମୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରାୟ ୩.୫ କୋଟିରୁ
ପଛୁଆ ଆର୍ଥିକ ବର୍ଗ ଲୋକ ଏହି ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ । ନିଜର ଚିହ୍ନଟ ନିମନ୍ତେ ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ.ଜେ.ଏ.ୱାଇ)ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେଏ.ୱାଇ) କାର୍ଡ / ଆଧାର କାର୍ଡ / ରାଶନ  କାର୍ଡ ନେଇ ହସ୍ପିଟାଲକୁ ଯିବା ଆବଶ୍ୟକ। ଜଣେ ବ୍ୟକ୍ତି ହେଲପ ଲାଇନ ନମ୍ବର-୧୪୫୫୫ ବା ଟୋଲ ଫ୍ରି ନମ୍ବର-୧୦୪ କୁ ଫୋନ କରି ଯୋଜନା ବାବଦରେ ଯେକୌଣସି ଅନୁସନ୍ଧାନ କରିପାରିବେ ବା ଅଭିଯୋଗ ରଖିପାରିବେ ବୋଲି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share