ଭଞ୍ଜନଗର,୧୫।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ସମେତ ବିପଦର ବନ୍ଧୁ, ଅଟୋ ସଂଘର କର୍ମକର୍ତ୍ତା ମାନେ ମିଳିତ ଭାବେ ଗୁରୁବାର ସନ୍ଧ୍ୟାରେ କଲେଜ ରୋଡ଼ରେ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇଥିଲେ। ରାସ୍ତାରେ ଯେଉଁ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ଗାଡି ଚଳାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା । ଯେଉଁ ମାନେ ହେଲମେଟ୍ ପିନ୍ଧି ନ ଥିଲେ ସେମାନଙ୍କୁ ଥାନା ପକ୍ଷରୁ ନୂଆ ହେଲମେଟ୍ ପ୍ରଦାନ କରାଯାଇଥିଲା । ବଡ ଗାଡ଼ି ଚାଳକକୁ ସିଟ୍ ବେଲ୍ଟ ପିନ୍ଧିବା, ନିଶାଦ୍ରବ୍ୟ ସେବନ ନ କରିବା ପ୍ରମୁଖ ବିଷୟରେ ସଚେତନ କରାଯାଇଥିଲା । ପ୍ରଶାସନର ଏହିଭଳି ଅଭିନବ ପ୍ରୟାସ ପାଇଁ ସାଧାରଣରେ ଲୋକେ ପ୍ରଶଂସା କରିଛନ୍ତି।
ସୂଚନା ଯୋଗ୍ୟ ଆସନ୍ତା ଫେବୃୟାରୀ ପହିଲା ରୁ ସଡ଼କ ପରିବହନ ନିୟମ କଡାକଡି ଭାବେ ପାଳନ ହେବ। ତେଣୁ ଲୋକେ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ। ନଚେତ୍ ଫେବୃୟାରୀ ପହିଲାରୁ ଯେଉଁମାନେ ପରିବହନ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଆଜି ଲୋକଙ୍କୁ ସଚେତନ କରିବା ସମୟରେ ତାହା ସୂଚାଇ ଦେଇଛନ୍ତି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ଥାନା ଅଧିକାରୀ ଜେନାଙ୍କ ସମେତ ଲେଜ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ଏମଭିଆଇ କିଶୋର କୁମାର ଦେ, ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ଜେ ଏମ ସାହୁ, ଲିପିନା ବିଶ୍ଵାଳ, ସମୀର କୁମାର ସେଠୀ, ଏ ଏସ ଆଇ ସତ୍ୟନାରାୟଣ ମଲ୍ଲ, ସୁଶାନ୍ତ କୁମାର ପଟ୍ଟନାୟକ, ଜାତୀୟ ସେବା ଯୋଜନା ଅଧିକାରୀ ବି ପ୍ରଧାନ, ସସ୍ମିତା କୁମାରୀ ଦାସ, ସମାଜସେବୀ ଶୂଳପାଣି ଶତପଥି ,ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଛା, ଅଟୋ ସଂଘର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ।