ନୂଆଦିଲ୍ଲୀ,୨୨।୨: Maruti Suzuki କାର୍ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଯାନର ଉତ୍ପାଦନ ମାର୍ଚ୍ଚ ୨୦୨୫ ସୁଦ୍ଧା ବନ୍ଦ ହୋଇପାରେ। ସେହିଭଳି ଏପ୍ରିଲ ୨୦୨୫ ସୁଦ୍ଧା ଏହି କାରର ବିକ୍ରୟ ବନ୍ଦ କରିବାର ପ୍ରସ୍ତୁତି ଚାଲିଛି। ଆସନ୍ତୁ ଜାଣିବା ଏହା ପଛର କାରଣ?
୨୦୧୫ରେ ସେଡାନ ଯାନଗୁଡ଼ିକ ଭାରତୀୟ କାର୍ ବଜାରର ୨୦ ପ୍ରତିଶତରୁ ଅଧିକ ପ୍ରଭାବ ପକାଉଥିଲା। କିନ୍ତୁ ୨୦୨୪ରେ ଏହାର ବିକ୍ରି ମାତ୍ର ୧୦ ପ୍ରତିଶତକୁ ହ୍ରାସ ପାଇଛି। ମୋଟ ଯାତ୍ରୀବାହୀ ଯାନ ବିକ୍ରୟ ବିଷୟରେ କହିବାକୁ ଗଲେ, ୫୦ ପ୍ରତିଶତରୁ ଅଧିକ SUV ଯାନ ବିକ୍ରି ହେଉଛି। ଏପରି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଗ୍ରାହକମାନେ ସେଡାନ ଯାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। SUV ଯାନଗୁଡ଼ିକ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟୁଛି।
ଆର୍ଥିକ ବର୍ଷ ୨୦୧୮ରେ ମଧ୍ୟମ ଆକାରର ସେଡାନର ବିକ୍ରୟ ୧,୭୩,୩୭୪ ୟୁନିଟରେ ପହଞ୍ଚିଥିଲା, ଯାହା ଆର୍ଥିକ ବର୍ଷ ୨୪ରେ ସ୍ଥିର ଭାବରେ ହ୍ରାସ ପାଇ ୯୭,୪୬୬ ୟୁନିଟରେ ପହଞ୍ଚିଛି। ଅଟୋକାର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ Ciazର ୬୫୯ ୟୁନିଟ, ନଭେମ୍ବରରେ ୫୯୭ ୟୁନିଟ ଏବଂ ଡିସେମ୍ବରରେ ୪୬୪ ୟୁନିଟ ବିକ୍ରି ହୋଇଥିଲା।
ଆର୍ଥିକ ବର୍ଷ ୨୫ର ପ୍ରଥମ ୯ ମାସରେ ଏହି କାରର ମୋଟ ୫୮୬୧ ୟୁନିଟ୍ ବିକ୍ରି ହୋଇଥିଲା, କିନ୍ତୁ ବିଗତ ବର୍ଷଗୁଡ଼ିକର ଆକଳନ ଦେଖିଲେ ଏହି କାରର ବିକ୍ରିରେ ୩୪ ପ୍ରତିଶତ ହ୍ରାସ ଘଟିଛି।
Ciaz ଅପଗ୍ରେଡ ହୋଇନାହିଁ:
ଏହି କାରଟି ଶେଷ ଥର ପାଇଁ ୨୦୧୮ ମସିହାରେ ଅପଗ୍ରେଡ୍ ହୋଇଥିଲା, ତା’ପରେ ଏପର୍ଯ୍ୟନ୍ତ କାରଟି ଅପଡେଟ୍ ହୋଇନାହିଁ। ଅନ୍ୟପକ୍ଷରେ ଏହି କାର ସହିତ ପ୍ରତିଯୋଗିତା କରୁଥିବା କାରଗୁଡ଼ିକରେ ଗ୍ରାହକମାନେ ସନ୍ରୁଫ୍, ADAS, ଟର୍ବୋ ପେଟ୍ରୋଲ ଇଞ୍ଜିନ, ଡିଜିଟାଲ ଇନ୍ଷ୍ଟ୍ୟୁମେଣ୍ଟ କ୍ଲଷ୍ଟର ଭଳି ବୈଶିଷ୍ଟ୍ୟ ମିଳୁଛି। ଭାରତୀୟ ବଜାରରେ ଏହି ସେଡାନର ମୂଲ୍ୟ ୯ ଲକ୍ଷ ୪୧ ହଜାର ୫୦୦ ଟଙ୍କା (ଏକ୍ସ-ସୋରୁମ) ରୁ ଆରମ୍ଭ ହେଉଛି।
ମାରୁତି ସୁଜୁକି ୨୦୨୦ ମସିହାରେ Ciazର ଡିଜେଲ ଭାରିଆଣ୍ଟର ବିକ୍ରୟ ବନ୍ଦ କରିଦେଇଥିଲା, ଯେଉଁ ସମୟରେ ଏହି କାରର ଡିଜେଲ ଭାରିଆଣ୍ଟ ବନ୍ଦ କରାଯାଇଥିଲା, ସେହି ସମୟରେ ସିଆଜର ମୋଟ ବିକ୍ରୟର ୩୦ ପ୍ରତିଶତ ଡିଜେଲ ଭାରିଆଣ୍ଟ ଥିଲା। ଏହି କାରର ଡିଜେଲ ଭାରିଆଣ୍ଟ BS୬ ନିର୍ଭମନ ମାନଦଣ୍ଡ ସହିତ ସୁସଙ୍ଗତ ନଥିଲା ଯାହା ଫଳରେ ଡିଜେଲ ଭାରିଆଣ୍ଟକୁ ବନ୍ଦ କରିବାକୁ ପଡିଥିଲା।