ଦୁଇ ଚକରେ ଅଟୋ ଚଳାଇ କଲେ ରେକର୍ଡ

ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ନାମ ସାମିଲ କରିବା ଅନେକଙ୍କର ସ୍ବପ୍ନ ଥାଏ। ସେଥିପାଇଁ ଅନେକ ରୋମାଞ୍ଚକର ଓ ଅବିଶ୍ୱସନୀୟ କାମ କରିବାକୁ ଲୋକେ ପଛାଇ ନ ଥାନ୍ତି। ସେମିତି ଏକ ରୋମାଞ୍ଚକର ରେକର୍ଡ ଚେନ୍ନାଇର ଜଗଥିସ୍‌ ଏମ୍‌. ମଣି କରିଛନ୍ତି। ସେ ତିନିଚକିଆ ଅଟୋରିକ୍ସାକୁ ଦୁଇ ଚକରେ ଗୋଟିଏ ପାର୍ଶ୍ୱକୁ ଢଳି ରହି ୨.୨ କି.ମି ପର୍ଯ୍ୟନ୍ତ ଅବିରତଭାବେ ସନ୍ତୁଳନ ରକ୍ଷା କରି ଚଳାଇ ଏହି ରେକର୍ଡ କରିଛନ୍ତି। ତାମିଲନାଡୁର ଜଗଥିସ୍‌ ଉକ୍ତ ରେକର୍ଡ ୨୦୧୫ରେ କରିଥିଲେ ହେଁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରିରେ ଏହାର ଏକ ଥ୍ରୋ ବ୍ୟାକ୍‌ କ୍ଲିପିଂ ନିକଟରେ ପୋଷ୍ଟ କରାଯାଇଛି। ଫଳରେ ପୁଣିଥରେ ଜଗଥିସ୍‌ ଚର୍ଚ୍ଚାକୁ ଆସିଛନ୍ତି। ଉକ୍ତ ଭିଡିଓ ସହ କ୍ୟାପ୍ସନ ରହିଛି ଯେ, ‘ଏପିକ୍‌ ଅଟୋରିକ୍ସା ସାଇଡ ହ୍ବିଲି, ଚେନ୍ନାଇ, ଭାରତ୍‌ସ ଅଟୋରିକ୍ସା ଡ୍ରାଇଭର୍‌ ଜଗଥିସ୍‌ ଏମ୍‌ ମଣି’। ଜଗଥିସ୍‌ କହନ୍ତି, ମୁଁ କେବେ ଭାବି ନ ଥିଲି ଏଭଳି ଅଟୋ ଚଳାଇ ରେକର୍ଡ କରିପାରିବି ବୋଲି। ଏହି ସଫଳତା ପାଇ ମୁଁ ବହୁତ ସନ୍ତୁଷ୍ଟ।