ଟିକିରି,୧୫।୯ (ପ୍ରଫୁଲ୍ଲ କୁମାର ବେହେରା): ଗୁଣି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଧୀନ ଏକାଡେଲି କରଳ ଗାଁ ଛକ ନିକଟରେ ଜଣେ ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା।
ପଡୋଶୀ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ କାଳାଆମ୍ବ ଗ୍ରାମର ଖଗେଶ୍ୱର ମାଣ୍ଡାଙ୍ଗିଙ୍କ ହତ୍ୟା ଅଭିଯୋଗରେ ସୋମବାର ରାୟଗଡା ପୋଲିସ ଜଣେ ନାବାଳକଙ୍କୁ ଧରି କଳାହାଣ୍ଡି ଜିଲା ଭବାନୀପାଟଣା ବାଳସୁଧାର ଗୃହକୁ ପଠାଯାଇଛି।
ନାବାଳକଙ୍କଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତଭିଜା ପୋଷାକକୁ ଦୋରାଗୁଡା ପୋଲିସ ଜବତ କରିଛି। ହତ୍ୟାକାରୀ ନାବାଳକ ଜଣକ ମୃତକଙ୍କ ସମ୍ପର୍କୀୟ ଭାଇ ବୋଲି ରାୟଗଡା ଏସ୍ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କୋରାପୁଟ ଜିଲା ଦମନ୍ତପୁର ବ୍ଲକ୍ କାଳାଆମ୍ବ ଗ୍ରାମର ଖଗେଶ୍ୱର ମାଣ୍ଡାଙ୍ଗି ଓ ରମାକାନ୍ତ ମାଣ୍ଡାଙ୍ଗି ଅଟୋ ଯୋଗେ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ। ସେମାନେ ଯାତ୍ରା ଦେଖି ଅଟୋ ଯୋଗେ ଫେରୁଥିବା ସମୟରେ କରଳ ଗାଁ ଛକ ନିକଟରେ ଅଭିଯୁକ୍ତ ନାବାଳକ ଖଗେଶ୍ୱରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚମ୍ପଟ ମାରିଥିଲେ।
ରାୟଗଡା ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ଦୋରାଗୁଡା ଆଇଆଇସି କିରଣ ବାଲା ସାମଲ, ଟିକିରି ଆଇଆଇସି ବିଶ୍ୱବନ୍ଦିନି ବାଗ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରି ତନାଘନା କରି ଗୋଟିଏ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ଧରି ଜୁଭେନାଇଲ ବୋର୍ଡରେ ଦାଖଲ କରିଛନ୍ତି। ଏ ନେଇ ଦୋରାଗୁଡା ଥାନାରେ କେଶ ନଂ ୧୨୦ /୨୫ରେ ଏକ ମାମଲା ରୁଜୁ କରାଯାଇଛି।