ଖଲ୍ଲିକୋଟ,୨ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଛକ ବଡ଼ଶଙ୍ଖ ନିକଟରେ ମଙ୍ଗଳବାର ଏକ ହରିଣକୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ୧୬ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କହ୍ନେଇପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅଟୋ (ନଂ.ଓଆର ୦୭ ଏକ୍ସ ୭୨୮୦)ଟି ମାଣିକ୍ୟପୁର ଅଞ୍ଚଳରୁ ୧୬ ଛାତ୍ରୀଛାତ୍ରଙ୍କୁ ନେଇ କୈରାଶି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଉଥିଲା। କୈରାଶି ଛକ ନିକଟ ବଡ଼ଶଙ୍ଖଠାରେ ରାସ୍ତା ପାର ହେଉଥିବା ଏକ ହରିଣ ହଠାତ୍ ଅଟୋ ସାମ୍ନାକୁ ଚାଲି ଆସିଥିଲା। ଚାଳକ ଭାରସାମ୍ୟ ହରାଇବାରୁ ହରିଣକୁ ଧକ୍କା ଦେଇ ଅଟୋଟି ବଡ଼ ଶଙ୍ଖ ତଳକୁ ଖସି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରୀଛାତ୍ର ଓ ଡ୍ରାଇଭର ଆହତ ହୋଇଥିଲେ। ଅଟୋ ଧକ୍କାରେ ହରିଣ ଆହତ ହୋଇ ବିଲରେ ପଡ଼ି ରହିଥିଲା। ଖବରପାଇ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବନ କର୍ମଚାରୀମାନେ ଆହତ ହରିଣଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ପ୍ରାଣୀ ଚିକିତ୍ସାଳୟକୁ ନେଇ ଆସିଥିଲେ।