Categories: Home Leftଖେଳ

କିପ୍‌ଚୋଗେଙ୍କୁ ଅଷ୍ଟ୍ରିଆସ୍‌ ଆଓ୍ବାର୍ଡ

ମାଡ୍ରିଡ୍‌,୧୯ା୫(ଏପି): କେନିଆର ମାରାଥନ ସ୍ପେଶାଲିଷ୍ଟ ଏଲୁଡ୍‌ କିପ୍‌ଚୋଗେ ୨୦୨୩ ବର୍ଷ ପାଇଁ ପ୍ରିନ୍‌ସେସ୍‌ ଅଫ୍‌ ଅଷ୍ଟ୍ରିଆସ ଆଓ୍ବାର୍ଡ ପାଇଛନ୍ତି। ସ୍ପାନିଶ ଫାଉଣ୍ଡେଶନ ତରଫରୁ ଏହି ପୁରସ୍କାର ଦିଆଯାଉଛି। ୩୮ ବର୍ଷୀୟ କିପ୍‌ଚୋଗେ ଅଲିମ୍ପିକ ମାରାଥନରେ ୨୦୧୬ ଓ ୨୦୨୦ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୨୦୦୩ରେ ସେ ୫,୦୦୦ ମିଟର ଚାମ୍ପିୟନ ହୋଇଥିଲେ। ବିଶ୍ୱ ଆଥଲେଟିକ୍ସରେ ତାଙ୍କୁ ଜଣେ କିମ୍ବଦନ୍ତୀ ରୂପେ ବିବଚେନା କରାଯାଇଥାଏ। ଫାଉଣ୍ଡେଶନର ବିଚାରକ ମଣ୍ଡଳୀ କିପ୍‌ଚୋଗେଙ୍କୁ ସର୍ବକାଳୀନ ଶ୍ରେଷ୍ଠ ମାରାଥନ ଧାବକ ବୋଲି କହିଛନ୍ତି। ସେ ବିଶ୍ୱର ୧୦ ପ୍ରମୁଖ ମାରାଥନ ଜିତିଛନ୍ତି। ତନ୍ମଧ୍ୟରେ ଲଣ୍ଡନ ଓ ବର୍ଲିନ ମାରାଥନ ୪ଥର ଲେଖାଏ ସାମିଲ। ସେ ଆହୁରି ମଧ୍ୟ ବର୍ତ୍ତମାନର ଅଲିମ୍ପିକ ଚାମ୍ପିୟନ। ଖେଳର ଏହି ବିଭାଗରେ ସେ ୨:୦୧:୦୯ ଟାଇମିଂରେ ବିଶ୍ୱରେକର୍ଡ ଅଧିକାରୀ ଅଛନ୍ତି, ଯାହାକି ୨୦୧୮ରେ ସେ ବ୍ୟକ୍ତିଗତ ଭାବେ ସ୍ଥାପନ କରିଥିବା ରେକର୍ଡଠାରୁ ଏହା ହେଉଛି ୩୦ ସେକେଣ୍ଡ କମ୍‌। ୨ ଘଣ୍ଟାରୁ କମ୍‌ ସମୟରେ ଏକ ମାରାଥନ ଦୌଡ଼ିବାରେ କିପ୍‌ଚୋଗେ ହେଉଛନ୍ତି ଇତିହାସରେ ଜଣେ ମାତ୍ର ଆଥ୍‌ଲେଟ। ୨୦୧୯ରେ ଭିଏନାରେ ସେ ୧: ୫୯:୪୦ ଟାଇମିଂରେ ରେସ୍‌ ଜିତିଥିଲେ। ଏହି ରେସ୍‌କୁ ଅବଶ୍ୟ ଅଫିସିଆଲ ସ୍ବୀକୃତି ନ ଥିଲା। କିପ୍‌ଚୋଗେଙ୍କୁ ପୁରସ୍କାର ବାବଦରେ ୫୦,୦୦୦ ୟୁରୋ (୫୪,୦୦୦ ଡଲାର) ମିଳିଛି। ଆଟର୍‌ସ, କମ୍ୟୁନିକେଶନ, ସାଇଣ୍ଟିଫିକ୍‌ ରିସର୍ଚ୍ଚ ଓ ଲିଟରେଚର ସମେତ ୮ଟି ବିଷୟରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ପାନିଶ ଫାଉଣ୍ଡେଶନ ତରଫରୁ ପୁରସ୍କାର ଦିଆଯାଇଥାଏ। ଅଲିମ୍ପିକ ରିଫ୍ୟୁଜି ଫାଉଣ୍ଡେଶନ ଏବଂ ରିଫ୍ୟୁଜି ଅଲିମ୍ପିକ୍ସ ଟିମ୍‌ ୨୦୨୨ରେ କ୍ରୀଡ଼ା ପୁରସ୍କାର ଜିତିଥିଲା। ସ୍ପାନିଶ ଭାଷୀଙ୍କର ଏହା ହେଉଛି ସବୁଠାରୁ ବଡ଼ ପୁରସ୍କାର। ସ୍ପାନିଶ ସହର ଓଭିଡୋରେ ପୁରସ୍କାର ଉତ୍ସବ ଆୟୋଜନ କରାଯାଇଥିଲା।