୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ, ୧୩।୯: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ବୋଲିଂ ପରାମର୍ଶଦାତା ଏରିକ୍‌ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି ବ୍ରିଟେନର ଜୈବ ସୁରକ୍ଷିତ (ବାୟୋ ବବଲ୍‌) ପରିବେଶରେ ରହିଥିଲେ ମଧ୍ୟ ଆଇପିଏଲ୍‌ ଖେଳିବାକୁ ୟୁଏଇ ଆସିଲେ ଏଠାରେ ୬ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ।
ସ୍ମିଥ୍‌ (ରାଜସ୍ଥାନ ରୟାଲ୍ସ), ଓ୍ବାର୍ନର (ସନରାଇଜର୍ସ ହାଇଦ୍ରାବାଦ) ଓ ଜୋଶ୍‌ ହାଜେଲଉଡ୍‌ (ସିଏସ୍‌କେ) ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ ବୁଧବାର ଖେଳିସାରିବା ପରେ ୟୁଏଇ ଗସ୍ତ କରିବେ। ଏହି ୩ ଜଣ ଖେଳାଳି ଇଂଲଣ୍ଡ ବିପକ୍ଷ ଚଳିତ ସୀମିତ ଓଭର ସିରିଜରେ ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ରହିଛନ୍ତି। ଏହାସତ୍ତ୍ୱେ କୌଣସି ଢିଲା କରାଯିବ ନାହିଁ। ସେମାନେ ଯେତେବେଳେ ଆଇପିଏଲ୍‌ ଖେଳିବାକୁ ନିଜ ନିଜ ଦଳ ସହ ଯୋଗ ଦେବେ ସେମାନଙ୍କୁ ୬ ଦିନ କ୍ୱାରାଣ୍ଟାଇନରେ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପ୍ରଥମ, ୩ୟ ଓ ୬ଷ୍ଠ ଦିନରେ କରୋନ ଟେଷ୍ଟ କରାଯିବ ବୋଲି ସିମନ୍ସ କହିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ, ଆଇପିଏଲ୍‌ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ।