Melbourne:United States' Serena Williams celebrates after winning her fourth round match against Aryna Sabalenka of Belarus at the Australian Open tennis championship in Melbourne, Australia, Sunday, Feb. 14, 2021.AP/PTI Photo(AP02_14_2021_000037B)
ମେଲବୋର୍ନ,୧୫।୨: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ଟୁର୍ନାମେଣ୍ଟ ରବିବାର ସପ୍ତମ ଦିବସରେ ପ୍ରବେଶ କରିଛି। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଦଶମ ସିଡ୍ ଅମେରିକାର ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସ, ଦ୍ୱିତୀୟ ସିଡ୍ ରୋମାନିଆର ସିମୋନା ହାଲେପ, ତୃତୀୟ ସିଡ୍ ଜାପାନର ନାଓମି ଓସାକା ଓ ଅଣସିଡ୍ ଚାଇନିତ ତାଇପେ ଖେଳାଳି ସି- ଓ୍ବେଇ ସିଏ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେରେନା ଓ ହାଲେପ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ରବିବାର ୩୯ ବର୍ଷୀୟ ସେରେନା ଚତୁର୍ଥ ରାଉଣ୍ଡ ମୁକାବିଲାରେ ବେଲାରୁଷର ସପ୍ତମ ସିଡ୍ ଖେଳାଳି ଅରିନା ସାବାଲେଙ୍କାଙ୍କୁ ୬-୪, ୨-୬, ୬-୪ ସେଟ୍ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ ସେରେନା ମୋଟ୍ ୨୪ଟି ଟାଇଟଲ ସହ ବିଶ୍ୱ ରେକର୍ଡର ସମକକ୍ଷ ହେବେ। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ହାଲେପ ୩-୬, ୬-୧, ୬-୪ ସେଟ୍ରେ ୧୫ତମ ସିଡ୍ ଖେଳାଳି ପୋଲାଣ୍ଡ ଆଇଗା ସ୍ବିଟେକଙ୍କୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛନ୍ତି। ୧୯ ବର୍ଷୀୟ ସ୍ବିଟେକ ଗତବର୍ଷ ଫ୍ରେଞ୍ଚ୍ ଓପନ୍ ଟାଇଟଲ ହାସଲ କରିଥିଲେ। ହାଲେପ୍ ପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପରାସ୍ତ ହୋଇଥିଲେ। ଗତବର୍ଷ ସେ ଏହି ଟୁର୍ନାମେଣ୍ଟର ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ।
ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଓସାକା ଓ ସିଏ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଓସାକା ଚତୁର୍ଥ ରାଉଣ୍ଡ ମୁକାବିଲାରେ ୧୪ତମ ସିଡ୍ ସ୍ପେନର ଅଭିଜ୍ଞ ଖେଳାଳି ଇନ୍ଫର୍ମ ଗାର୍ବାଇନ୍ ମୁଗୁରୁଜାଙ୍କୁ ୪-୬, ୬-୪, ୭-୫ ସେଟ୍ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ସିଏ ୧୯ତମ ସିଡ୍ ଖେଳାଳି ଚେକ ଗଣରାଜ୍ୟର ମାର୍କେଟା ଭୋଣ୍ଡ୍ରୋଉଶୋଭାଙ୍କୁ ୬-୪, ୬-୨ ସେଟ୍ରେ ଅତି ସହଜରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି।
ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଜୋକୋଭିଚ୍, ଜେଭେରେଭ, ଡିମିଟ୍ରୋଭ
ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସର୍ବିର ଅଭିଜ୍ଞ ଖେଳାଳି ଟପ୍ ସିଡ୍ ନୋଭାକ ଜୋକୋଭିଚ୍, ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡାର ଜେଭେରେଭ, ୧୮ତମ ସିଡ୍ ଖେଳାଳି ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ, ରୁଷୀୟ କ୍ୱାଲିଫାୟର ଅସଲାନ କାରାସେଭ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଜେଭେରେଭ ୨୩ତମ ସିଡ୍ ଖେଳାଳି ସର୍ବିୟାର ଡୁସାନ ଲାଜୋଭିକଙ୍କୁ ୬-୪, ୭-୬ , ୬-୩ ସେଟ୍ରେ ହରାଇ କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି। କ୍ୱାର୍ଟରରେ ଜେଭେରେଭ ଜୋକୋଭିଚ୍ଙ୍କୁ ଭେଟିବେ। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଜୋକୋଭିଚ୍ ୭-୬, ୪-୬, ୬-୧, ୬-୪ ସେଟ୍ରେ ୧୪ତମ ସିଡ୍ କାନାଡାର ମିଲୋସ ରାଓନିକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ସେହିପରି ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଡିମିଟ୍ରୋଭ ଓ କାରାସେଭ ପରସ୍ପରକୁ ଭେଟିବେ। ରବିବାର ଅନୁଷ୍ଠିତ ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଡିମିଟ୍ରୋଭ ତୃତୀୟ ସିଡ୍ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ୬-୪, ୬-୪, ୬-୦ ସେଟ୍ରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ସେହିପରି କାରାସେଭ ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ୨୦ତମ ସିଡ୍ ଖେଳାଳି କାନାଡାର ଫେଲିକ୍ସ ଅଉଗେର- ଆଲଆଜିମଙ୍କୁ ମାରାଥନ ୩-୬, ୧-୬, ୬-୩, ୬-୩, ୬-୪ ସେଟ୍ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।