Categories: Home Leftଖେଳ

କୋହଲିଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ୨୩୩ ରନ୍‌ କଲା ଭାରତ

ଆଡିଲେଡ୍‌, ୧୭।୧୨- ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ତଥା ଦିବା-ରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଉଇକେଟ ହରାଇ ୨୩୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ପାଇଁ କେବଳ ଅଧିନାୟକ ବିରାଟ କୋହଲି (୭୪ ରନ୍‌, ୮ ଚୌକା) ହିଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୪୩ ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ୪୨ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଓପନର ପୃଥ୍ବୀ ଶ (୦), ମୟଙ୍କ ଅଗ୍ରଓ୍ବାଲ (୧୭) ଓ ହନୁମା ବିହାରି (୧୬) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ରିଦ୍ଧିମାନ ଶାହା ୯ ଓ ରବିଚନ୍ଦ୍ରନ ଅଶ୍ୱିନ ୧୫ ରନ୍‌ କରି ଅପରାଜିତ ଅଛନ୍ତି।

ଘରୋଇ ବୋଲରଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିବାବେଳେ ଜୋଶ ହାଜେଲଉଡ୍‌, ପାଟ୍‌ କମିନ୍ସ ଓ ନାଥାନ ଲିଓନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।