Categories: Home Leftଖେଳ

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ ଦଳ ଖରାପ ବୋଲିଂ ବ୍ୟତୀତ ୫ କ୍ୟାଚ ହାତଛଡ଼ା କରିବାରୁ ଅଷ୍ଟ୍ରେଲିଆ ବ୍ୟାଟର ଏଥିରୁ ଫାଇଦା ଉଠାଇଥିଲେ। ଫଳତଃ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୩୭୮ରନ କରିପାରିଛି। ଓପନର ଜେକ୍‌ ଓ୍ବିଥରାଲ୍ଡ ୭୮ ବଲ୍‌ରୁ ୭୨ ରନ, ମାର୍ନସ ଲବୁସେନ (୬୫) ପଛକୁ ପଛ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ କାମଚଳା ଅଧିନାୟକ ଷ୍ଟିଭ ସ୍ମିଥ୍‌ ୬୧ରନ ସଂଗ୍ରହ କରିନେଇଥିଲେ।

ଆଲେକ୍ସ କାରେ ବ୍ୟକ୍ତିଗତ ୨୫ ରନ କରି ଖେଳୁଥିବା ବେଳେ କ୍ୟାଚ ହାତଛଡ଼ା ହୋଇଯିବା ପରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ୪୫ ବଲ୍‌ରୁ ୪୬ରନ କରି ଅପରାଜିତ ରହିଥିଲେ। ମାଇକେଲ ନେସରଙ୍କ ମଧ୍ୟ ଏକ କ୍ୟାଚ ହାତଛଡ଼ା ହୋଇଥିଲା। ସେ ୧୫ ରନ କରି ଅପରାଜିତ ଥିଲେ। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ କାରେ ଓ ନେସରଙ୍କ ମଧ୍ୟରେ ୭ମ ଉଇକେଟରେ ଅପରାଜିତ ୪୯ରନର ପାର୍ଟନରଶିପ୍‌ ହୋଇଯାଇଥିଲା।

ଇଂଲଣ୍ଡ ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୨୫/୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ୩୩୪ରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ଇଂଲଣ୍ଡ ପାଇଁ ତାଙ୍କର ପ୍ରଥମ ଶତକ ହାସଲ କରିଥିବା ଜୋ ରୁଟ୍‌ ୧୩୮ ରନ କରି ଅପରାଜିତ ରହିଥିଲେ।