Categories: Home Leftଖେଳ

ପାକିସ୍ତାନକୁ ହଟାଇ ପ୍ରଥମ ସ୍ଥାନକୁ ଫେରିଲା ଅଷ୍ଟ୍ରେଲିଆ

ଦୁବାଇ,୧୦ା୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଦ୍ୱିତୀୟ ବିଜୟ ପରେ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ ତାଲିକାରେ ପାକିସ୍ତାନକୁ ହଟାଇ ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି।

ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲବୁସେନ୍‌ଙ୍କ ଚମତ୍କାର ଶତକ ଯୋଗୁ ଅଷ୍ଟ୍ରେଲିଆ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ୧୨୩ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି।

ମ୍ୟାଚରେ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଦିନିକିଆରେ ତୃତୀୟ ସର୍ବାଧିକ ସ୍କୋର ୩୯୨/୮ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ୪୧.୫ ଓଭରରେ ୨୬୯ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଭ୍ରମଣକାରୀ ଦଳ ଗୁରୁବାର ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୩ ଉଇକେଟରେ ପରାସ୍ତ କରିଥିଲା। ମଙ୍ଗଳବାର ସମାନ ଭେନ୍ୟୁରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ଯଦି ଅଷ୍ଟ୍ରେଲିଆ ବିଜୟ ଲାଭ କରେ ତେବେ ଦଳ ଆଗୁଆ ସିରିଜ ଜିତ ନେବ। ଅଷ୍ଟ୍ରେଲିଆ ୧୨୧ ରେଟିଂ ପଏଣ୍ଟ ସହ ପାକିସ୍ତାନଠାରୁ ଗୋଟିଏ ପଏଣ୍ଟ ଆଗରେ ରଖି ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତ ୧୧୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନ ବଜୟ ରଖିଛି।